ବଲାଙ୍ଗିର, ବିଭିନ୍ନ ରାଜନୈତିକ ଦଳ ବିଶେଷ କରି ବିଜୁ ଜନତା ଦଳ ଆଗାମୀ ନିର୍ବାଚନରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନ ବେଳେ ଅଞ୍ଚଳର ଭୋଟର ହୋଇଥିବା ସ୍ଥାନୀୟ ଯୋଗ୍ୟ ବ୍ୟକ୍ତିଙ୍କୁ ଦଳର ଟିକଟ ଦେବାକୁ ଲୋଇସିଂହା ସ୍ଵାଭିମାନ ମଞ୍ଚ ଦାବି କରିଛି। ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ମଞ୍ଚ ର ଏକ ସାମ୍ବାଦିକ ସମ୍ମିଳନୀରେ ଲୋଇସିଂହା ସ୍ଵାଭିମାନ ମଞ୍ଚ ର ସଭାପତି ଜଗବନ୍ଧୁ ପଧାନ ଉପସଭାପତି ଭରତ ଭୂଷଣ ପଧାନ ମଞ୍ଚର ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ କହିଲେ ଯେ, ଗତ ନିର୍ବାଚନ ଗୁଡିକରେ ବିଜେଡି ପକ୍ଷରୁ ଅନ୍ୟ ଅଞ୍ଚଳରୁ ପ୍ରାର୍ଥୀ ଆଣି ଦେଇଥିବା ଯୋଗୁଁ ଅଞ୍ଚଳର ବିକାଶ କାର୍ଯ୍ୟ ବାଧା ପ୍ରାପ୍ତ ହୋଇଛି। ଏହି ମଞ୍ଚ ୨୦୧୮ ଯୋଗେନ୍ଦ୍ର ବେହେରା ବିଧାୟକ ନିର୍ବାଚିତ ହୋଇଥିଲା ବେଳେ ତାଙ୍କ ଅନ୍ୟାୟ ଦୁର୍ନୀତି ମୂଳକ କାର୍ଯ୍ୟକୁ ଦମନ କରିବା ପାଇଁ ମଞ୍ଚ ଗଠିତ ହୋଇଥିଲା। ସେହିଦିନ ଠାରୁ ମଞ୍ଚ ଅନେକ ସାମାଜିକ ରାଜନୀତିକ ସଂସ୍କାର ନିମନ୍ତେ କାର୍ଯ୍ୟକ୍ରମ କରି ଆସିଛି। ମଞ୍ଚର କାର୍ଯ୍ୟକ୍ରମ ତ୍ଵରାନ୍ଵିତ କରିବାକୁ ବର୍ଷେ ତଳେ କାମଚଳା ସଭାପତି ଦାୟିତ୍ଵ ଦିଆଯାଇଥିଲା। ଦାୟିତ୍ଵ ପାଇଲା ପରେ ନିର୍ବାଚନ ମଣ୍ଡଳୀ ବିକାଶ ଭାବନା ଭୁଲି ବାହାର ବିଧାୟକ ଆଶାୟୀ ପ୍ରାର୍ଥୀ ସହିତ ଯୋଗାଯୋଗ ରଖି ନିର୍ବାଚନ ମଣ୍ଡଳୀ ଅସ୍ମିତାକୁ ଜଳାଞ୍ଜଳି ଦେବାକୁ କୁଣ୍ଠାବୋଧ କଲେ ନାହିଁ। କୋର କମିଟି ର ବାରମ୍ବାର ତାଗିଦ ସତ୍ବେ ନକରାତ୍ମକ କାର୍ଯ୍ୟରୁ ନିବୃତ ନହେବାରୁ ତାଙ୍କୁ ଦାୟିତ୍ଵରୁ ନିବୃତ କରି ସେହି ସ୍ଥାନରେ ଜଗବନ୍ଧୁଙ୍କୁ ସ୍ଥାୟୀ ସଭାପତି ଓ ଭରତଭୂଷଣଙ୍କୁ ଉପସଭାପତି ଦାୟିତ୍ଵ ଦିଆଯାଇଛି। ପୂର୍ବ ସଭାପତିଙ୍କୁ ଅପସରଣ ପରେ ସେ ତ୍ରୁଟି ସମୀକ୍ଷା କରି ସୁଧୁରିବା ବଦଳରେ କ୍ରୋଧାନ୍ଵିତ ହୋଇ ଗଣମାଧ୍ୟମ ଆଗରେ କୁତ୍ସା ମୂଳକ ବିବୃତି ରଖିଛନ୍ତି। ମଞ୍ଚ ପାଖରେ ଜମାପୁଞ୍ଜି ନାହିଁ ଯେଉଁଥିରେ ସେ ଲୋକଙ୍କୁ ଆକୃଷ୍ଟ କରିଥିବା ଭଳି ମଞ୍ଚ କାର୍ଯ୍ୟକ୍ରମ ହାତକୁ ନେଇପାରିବ।
ଅନ୍ୟ ମାନଙ୍କ ମଧ୍ୟରେ ସଂଗଠକ ପ୍ରଦୀପ ଗୁରୁ, ସହଦେବ ସା, ଦେବରାଜ ଅମାତ, ଶେଷଦେବ ପାଢ଼ୀ, କୁଳକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।