ପୁରୀ, ପୁରୀ ଖାଉଟି ଅଦାଲତ ଏକ ଐତିହାସିକ ରାୟ ଦେଇଛନ୍ତି ଯାହା ହଜାର ହଜାର ସାହାରା ନିବେଶକଙ୍କ ମନରେ ଏକ ନୂତନ ଆଶା ଓ ଆନନ୍ଦ ସଞ୍ଚାର କରିପାରିଛି। ୨୦ ଫେବୃଆରୀ ୨୦୨୪ ରେ ଅଦାଲତ ଏହି ରାୟ ପ୍ରକାଶ କରିଛନ୍ତି। ଏହି ରାୟ ଯୋଗୁଁ ସତ୍ୟ ଓ ନ୍ୟାୟର ଜୟ ବୋଲି ଲୋକମାନଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି ହୋଇଛି। ପୁରୀ କୁଣ୍ଢେଇବେଣ୍ଟ ସାହି ନିବାସୀ ପ୍ରଭୁ ପ୍ରସାଦ ପଟ୍ଟନାୟକଙ୍କ ସାହାରା କୋ-ଅପରେଟିଭ ସୋସାଇଟି ଅଧିନରେ ଥିବା ସାହାରା ଇଣ୍ଡିଆ କ୍ରେଡିଟ କୋ-ଅପରେଟିଭ ସୋସାଇଟି ଲିମିଟେଡ” ରେ ପ୍ରାୟ ୪୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବିଭିନ୍ନ ସ୍କିମ ମାନଙ୍କରେ ବିନିଯୋଗ କରିଥିଲେ ଓ ଏହାଏକ ନିର୍ଦ୍ଦିଷ୍ଟ ସମୟସୀମାରେ ପୈଠ କରାଯାଇଥାନ୍ତା। ଏହି ଟଙ୍କାର ମାଚ୍ୟୁରିଟି ବା ପରିପକ୍ଵତା ମୂଲ୍ୟ ମଧ୍ୟ ୨୦୨୦/୨୦୨୧ ସୁଦ୍ଧା ଟ୫୩,୩୯,୬୩୪/ଙ୍କା ହୋଇଥିଲା। ଏହାକୁ ଦେବାରେ ସାହାରା କୋ-ଅପରେଟିଭ ସୋସାଇଟି ଅସାମର୍ଥୀୟ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଅନେକ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ। ଏହି ଟଙ୍କା ଅନାଦେୟ ଯୋଗୁଁ ଆବେଦନକାରୀ ଶ୍ରୀ ପଟ୍ଟନାୟକ ପୁରୀ ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ। ଏହାର ସି ସି କେସ ସଂଖ୍ୟା ୬୪/୨୦୨୨ ମାଧ୍ୟମରେ ପଞ୍ଜିକୃତ ହୋଇ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା। ଉଭୟଙ୍କ ପକ୍ଷରୁ ଶୁଣାଣି ହୋଇ ଏକ ଐତିହାସିକ ରାୟ ମାଧ୍ୟମରେ ଏହାର ଆଦେଶ ପ୍ରାରିତ ହୋଇଯାଇଛି। ଶୁଣାଣି ପ୍ରକ୍ରିୟାରେ ଅଦାଲତ ହୃଦୟଙ୍ଗମ କରିଛି ଯେ ସାହାରା କୋ-ଅପରେଟିଭ ସୋସାଇଟି ଲିମିଟେଡ କମ୍ପାନୀ ଆବେଦନକାରୀ ଶ୍ରୀ ପଟ୍ଟନାୟକଙ୍କୁ ସେବା ଦେବାରେ ବିଫଳ ହୋଇଛି। ଠିକ୍ ସମୟ ରେ ସମସ୍ତ ପ୍ରାପ୍ୟ ନ ଦେଇ ଉପଯୁକ୍ତ ସେବା ମନୋବୃତ୍ତିର ଉପେକ୍ଷା କରିଛନ୍ତି। ଏ ପ୍ରକାର ଉପେକ୍ଷିତ ସେବା, ଅସାମର୍ଥୀୟ ଓ ବିଫଳତା ପାଇଁ ସାହାରା କମ୍ପାନୀକୁ ଦାୟୀ କରିଛନ୍ତି। ଅଦାଲତ ହୃଦୟଙ୍ଗମ କରିଛନ୍ତି ଯେ, ଆବେଦନକାରୀ ତାଙ୍କ ପ୍ରାପ୍ୟ ସାହାରା ଠାରୁ ପାଇବାକୁ ହକଦାର ଓ ଯୋଗ୍ୟ ଓ ସେଥିପାଇଁ ଏହି ରାୟ ପ୍ରଦାନ କରିଛନ୍ତି।
ଉପରୋକ୍ତ ରାୟ ଅନୁସାରେ ବିପକ୍ଷ ସାହାରା କୋ-ଅପରେଟିଭ ସୋସାଇଟି କମ୍ପାନୀ ଅଭିଯୋଗକାରୀ ଶ୍ରୀ ପଟ୍ଟନାୟକଙ୍କୁ ସମସ୍ତ ପ୍ରାପ୍ୟ ଟଙ୍କା ୫୩,୩୯,୬୩୪/, ପ୍ରାପ୍ୟ ଦିନଠାରୁ ଶତକଡା ୯ ହାର ସୁଧ, ମାନସିକ ଯନ୍ତ୍ରଣା ଦେଇଥିବା ଯୋଗୁ ଅଧିକ ଟ୧୦,୦୦୦/ ଓ ଅଦାଲତ ଖର୍ଚ୍ଚ ବାବଦକୁ ଅଧିକା ଟ୫୦୦୦/ ରାୟ ପାଇବାର ୬୦ ଦିନ ମଧ୍ୟରେ ଦେବାକୁ ଆଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ପୁରୀ ନିବାସୀ ତଥା ଓଡ଼ିଶା ଉଚ୍ଚନ୍ୟାୟାଳୟର ବରିଷ୍ଠ ଓକିଲ ବିଭୂପ୍ରସାଦ ତ୍ରୀପାଠୀଙ୍କ ତତ୍ତ୍ଵାବଧାନରେ ପ୍ରିୟନାଥ ପଟ୍ଟନାୟକ ଓ ଶିଳ୍ପାରାଣୀ ଆଚାରୀ ଏହି ମୋକଦ୍ଦମା ଲଢ଼ୁଥିଲେ ।