
ରାଉରକେଲା, ସୁନ୍ଦରଗଡ ଜିଲ୍ଲାରେ ଭଲଭାବେ ପରିଚିତ ତଥା ଆନ୍ତର୍ଜାତିକ ସ୍ତରରେ ସମାଜ ସେବା ଲାଗି ପୁରସ୍କୃତ ହୋଇଥିବା ସମାଜସେବି ଚାନ୍ଦମଣୀ ସାଣ୍ଡିଲ ନିଜ ଗାଁରୁ ବାଛନ୍ଦ ହୋଇଛନ୍ତି। ଏନେଇ ସେ ଥାନାର ଦ୍ଵାରସ୍ଥ ହୋଇଥିଲେ ସୁଦ୍ଧା ପୁଲିସ ମଧ୍ୟ ଏନେଇ ନିରବ ବୋଲି ଅଭିଯୋଗ ହୋଇଛି । ଏନେଇ ଶ୍ରୀମତୀ ସାଣ୍ଡିଲ ରାଉରକେଲା ଏସପି, ହ୍ୟୁମାନ ରାଇଟ କମିଶନଙ୍କ ଦ୍ଵାରସ୍ଥ ହେବା ପରେ ଆଗାମୀ ଦିନରେ ସେ ନ୍ୟାୟଳୟର ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି । ଘଟଣାରୁ ପ୍ରକାଶ ଯେ, ସେ ରହୁଥିବା ଲାଠିକଟା ନିକଟ ଗାଁ ଏରଗେଟାରେ ଶିବରାତ୍ରୀ ଦିନ କିଛି ଲୋକ ଡିଜେ ବଜାଇ ରାତିରେ ନାଚିଥିଲେ, ତେବେ ରାତି ୧୦ଟା ପରେ ଏହାକୁ ବନ୍ଦ ଲାଗି ସେ ଅନୁରୋଧ କରି ବିଫଳ ହେବା ପରେ ସେ ଘଟଣାକୁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ଫଳରେ ସବୁ କିଛି ବନ୍ଦ ହୋଇଯାଇଥିଲା । ପରେ ଗାଁର ୧୦ ରୁ ୧୫ ଲୋକ ଏକାଠି ହୋଇ ମିଟିଂ କରି ଚାନ୍ଦଙ୍କୁ ଗାଁରୁ ବାସନ୍ଦ କରି ଜଣାଇଦେଲେ ଯେ, ତାଙ୍କ ସହ ଯିଏ ମିଶିବ କଥା ହେବ ତାକୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ, ଫଳରେ ଗାଁରେ ତାଙ୍କ ସହ କେହି କଥା ନହେବା ସହ ତାଙ୍କ ଦୋକାନକୁ ମଧ୍ୟ କେହି ଆସିଲେ ନାହିଁ, ଏଭଳି ବାସନ୍ଦକୁ ନେଇ ସେ ନିକଟସ୍ଥ ଚାନ୍ଦିପୋଷ ଥାନାକୁ ଜିବାରୁ ସେଠାରେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲାନି । ଫଳରେ ସେ ରାଉରକେଲା ଏସପି ଙ୍କୁ ଦେଖା କରି ନ୍ୟାୟ ମାଗିଛନ୍ତି । ଏଭଳି ସ୍ଥିତିରେ ତାଙ୍କର ମୌଳିକ ଅଧିକାର କ୍ଷୁର୍ଣ ହେବା ସହ ତାଙ୍କୁ ମାନସିକ ଆଘାତ ଲାଗିଛି, ତେଣୁ ସେ ଯଦି ନ୍ୟାୟ ନପାଆନ୍ତି ତେବେ ସମସ୍ତଙ୍କ ବିରୋଧରେ ସେ ଆଇନଗତ ଦୃଷ୍ଟିରୁ ପଦକ୍ଷେପ ନେବେ ବୋଲି କହିଛନ୍ତି ।