ପୁରୀ- ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ଅଭିଯୁକ୍ତ ବଳଙ୍ଗା ଥାନା ଏଏସଆଇ ଚିତରଞ୍ଜନ ଦାଶଙ୍କୁ ଗତକାଲି ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଆଜି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଅରୁଣ ଜେନା । ଏପଟେ ମହିଳାଙ୍କୁ ଦୁଷ୍କର୍ମ ହୋଇନାହିଁ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ଡଃ. ଉମାଶଙ୍କର ଦାସ । ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ, ଆଜି ମାଜିଷ୍ଟ୍ରେଟଙ୍କ ନିକଟରେ ମହିଳାଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ହେଲେ ବୟାନ ରେକର୍ଡ଼ ବେଳେ ମହିଳା ଜଣକ ତାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ କୌଣସି ଅଭିଯୋଗ ଆଣିିନାହାଁନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ମହିଳା ଜଣକ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଅଭିଯୋଗ କରିବା ପରେ ଅଭିଯୁକ୍ତ ଏଏସଆଇଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । କିନ୍ତୁ, ଗତକାଲି ପୀଡ଼ିତା ଡ଼ାକ୍ତରୀ ମାଇନା କରାଯିବାକୁ ମନା କରି ଦେଇଥିଲେ । ପ୍ରଥମେ ନିଜ ଅଭିଯୋଗ ପତ୍ରରେ ଲିଖିତ ଭାବେ ମହିଳା ଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିବା ବେଳେ ଆଜି ନିଜ ବୟାନ୍ ରୁ ଓହରିଯିବା ସମ୍ପୂର୍ଣ୍ଣ ଘଟଣାକୁ ରହସ୍ୟାବୃତ କରିଛି । ପୋଲିସ ଏନେଇ ଅଧିକ ଛାନଭିନ୍ ଜାରୀ ରଖିଛି ।
ପ୍ରକାଶ ଥାଉ କି, ମହିଳାଙ୍କ ଶ୍ୱଶୁର ତାଙ୍କ ସ୍ୱାମୀଙ୍କ ଅଟୋ ପୋଡ଼ି ଦେଇଥିଲେ । ଶ୍ୱଶୁରଙ୍କ ନାମରେ ମହିଳା ଜଣକ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମହିଳାଙ୍କ ସପକ୍ଷରେ ନ୍ୟାୟ ପ୍ରଦାନର ଲୋଭ ଦେଖାଇ ସମ୍ପୃକ୍ତ ପୋଲିସ ଏଏସଆଇ ତାଙ୍କୁ ଦୁଷ୍କର୍ମ କରିଥିବା ମହିଳା ଜଣକ ଏତଲାରେ ଦର୍ଶାଇଥିଲେ ।