ପୁରୀ, ଆଜି ବୁଧବାର ଫାଲଗୁନ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହୋଇଛି । ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ଗୁପ୍ତ ନୀତି ଆରମ୍ଭ ହୋଇଥିଲା । ଶ୍ରୀଜୀଉ ମାନଙ୍କ ଶ୍ରୀମୁଖ ଶୃଙ୍ଗାର ତଥା ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟରେ ଗର୍ଭଗୃହର ସମସ୍ତ ଦ୍ଵାର ବନ୍ଦ ରହିଥିଲା । ଦ୍ବିତୀୟ ଭୋଗମଣ୍ଡପ ପରେ ଦତମହାପାତ୍ର ସେବକମାନେ ଗର୍ଭଗୃହରେ ପ୍ରବେଶ କରିଥିଲେ । ଏହାପରେ ବନକଲାଗି ଗୁପ୍ତ ନୀତି ସମାପନ ହୋଇଥିଲା । ବନକଲାଗି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ମହାସ୍ନାନ ପରେ ଭକ୍ତ ମାନେ ପୁଣି ଶ୍ରୀବିଗ୍ରହ ମାନଙ୍କ ଦର୍ଶନ କରିଛନ୍ତି । ଏହି ନୀତି ପାଇଁ ପ୍ରାୟ ୩ ଘଂଟା ଦର୍ଶନ ବନ୍ଦ ରହିଥିଲା ।
ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାରରେ ପ୍ରାକୃତିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା ଓ ନାଲି ରଙ୍ଗର ବ୍ୟବହାର ହୋଇଥିଲା ।