ଭୁବନେଶ୍ୱର, ଭାରତରେ ସିଏଏ ଲାଗୁ ହେବାର ଆବଶ୍ୟକତା ରହିଥିଲା । 1947 ମସିହାରେ ଯାହା ହେବା କଥା ଏବେ 2024 ମସିହାରେ ପ୍ରଧାନମନ୍ତ୍ରୀ ମୋଦି ତାହା କରିବାକୁ ଯାଉଛନ୍ତି । ସିଏଏ ଲାଗୁ ହେବା ନେଇ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରେ ପାର୍ସି, ଶିଖ, ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ଅଳ୍ପ ସଂଖ୍ୟକ ମାନେ ଉତ୍ପୀଡନର ଶିକାର ହେଉଛନ୍ତି । ଧିରେ ଧିରେ ସେମାନଙ୍କ ସଂଖ୍ୟା କମି କମି ଯାଉଛି । ଭାରତର ପଡ଼ୋଶୀ ରାଷ୍ଟ୍ର ମାନଙ୍କରେ ରହୁଥିବା ଅଳ୍ପ ସଂଖ୍ୟକ ମାନଙ୍କ ଦାୟିତ୍ଵ ଭାରତ ସରକାରଙ୍କର । ଆମେ ସେମାନଙ୍କୁ ଭାରତକୁ ଆଣି ସାମ୍ବିଧାନିକ ଅଧିକାର ଦେବାର ଆବଶ୍ୟକତା ଅଛି । ଏହାଦ୍ବାରା ଭାରତର ଉଦାରତା ଏବଂ ଭାରତ ଶକ୍ତିଶାଳୀ ବୋଲି ସାରା ବିଶ୍ୱକୁ ସମ୍ବାଦ ଯିବ । 1971ରେ ହୋଇଥିବା ଇନ୍ଦିରା – ମୂଜିବୁର ଚୁକ୍ତି ଅନୁସାରେ 12 ଲକ୍ଷ ଅଳ୍ପ ସଂଖ୍ୟକ ବାଂଲାଦେଶ ଓ ପାକିସ୍ତାନରୁ ଆସି ଭାରତରେ ପହଞ୍ଚିଥିଲେ । ସେତେବେଳେ କଂଗ୍ରେସ ସରକାର ସେମାନଙ୍କୁ କାହିଁକି ଗ୍ରହଣ କରିଥିଲା । ସେ କଥା ଟିଏମସିର ମୁଖ୍ୟ ମମତା ବାନାର୍ଜୀ କହିନାହାନ୍ତି କାହିଁକି ? ସିଏଏ ଜମା ବି ମୁସଲମାନ ବିରୋଧୀ ନୁହେଁ । ଭାରତ ବସୁଧୈବ କୁଟୁମ୍ବକମରେ ବିଶ୍ୱାସ କରେ । ତେଣୁ ଜାତି, ଧର୍ମ କି କ୍ଷେତ୍ରରେ ଆଧାରରେ ଏହି ନିୟମ କରାଯାଇନାହିଁ । ମାନବିକତା ଆଧାରରେ ଏହି ନିୟମ କରାଯାଇଛି ।
ସେ କହିଛନ୍ତି ଯେ ଓଡ଼ିଶାରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଏବଂ କେତେ ରୋହିଙ୍ଗିଆ ଅଛନ୍ତି, ସରକାର ତାଙ୍କ ଉପରେ କଣ ପଦକ୍ଷେପ ନେଉଛନ୍ତି, ସେ ବାବଦରେ ଗତ ବର୍ଷ ମାର୍ଚ୍ଚ ମାସରେ ବିଧାନସଭାରେ ପ୍ରଶ୍ନ କରିଥିଲେ ସୁରଜ । ସରକାରଙ୍କ ଉତ୍ତର ଦେଲେ ଯେ ଓଡ଼ିଶାରେ 1 ଲକ୍ଷ 57 ହାଜର ବାଂଲାଦେଶୀ ଅନୁପ୍ରବେଶକାରୀ ଓଡ଼ିଶାରେ ଅଛନ୍ତି ।