ବାରିପଦା- ଆଜି ସମଗ୍ର ଓଡ଼ିଶାରେ ଏକ କାଳୀନ ପକ୍ଷୀ ଗଣନା ଚାଲିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ଶିମିଳିପାଳ ଅଭୟାରଣ୍ୟକୁ ଲାଗିଥିବା ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ଅଧୀନରେ ରହିଥିବା ପ୍ରାୟ ୧୦୦ରୁ ଅଧିକ ନଦ ନଦୀ, ଝରଣା ଓ ଜଳାଶୟଗୁଡ଼ିକରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ବନଖଣ୍ଡ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଦେଶୀୟ ଓ ନବାଗତ ବିଦେଶୀ ପକ୍ଷୀମାନଙ୍କ ପ୍ରଜାତି ଚିହ୍ନଟ କରାଯାଇ ଗଣନା କରାଯାଇଥିଲା । ଏହି ସମୟରେ ଜିଲ୍ଲାରେ ଥିବା ବିଭିନ୍ନ ଜଳାଶୟଗୁଡ଼ିକୁ ପ୍ରାୟ ୧୧ଶହରୁ ଅଧିକ ଦେଶୀ ଓ ବିଦେଶୀ ପକ୍ଷୀ ଆଗମନ କରିଥିବାର ଗଣନା ସମୟରେ ଦେଖିବାକୁ ମିଳିଥିଲା । ଏମାନଙ୍କ ମଧ୍ୟରେ ଗଡ଼ୱାଲ, ଲିଟିଲ କାର୍ବୋରେଣ୍ଟ, ଲଫାଙ୍ଗ ଆଦି ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ ରହିଥିବାର ଜଣାପଡ଼ିଥିଲା । ତେବେ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନାର ସଠିକ୍ ବିବରଣୀ ପ୍ରକାଶ କରାଯାଇନାହିଁ । ବନ କର୍ମଚାରୀମାନଙ୍କ ବୈଠକ ଜାରି ରହିଛି । ବୈଠକରେ ନବାଗତ ପକ୍ଷୀମାନଙ୍କ ପ୍ରଜାତିଗୁଡ଼ିକ ଉପରେ ତର୍ଜମା କରାଯାଇ ଚୁଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।
Related Stories
November 25, 2024