ଭୁବନେଶ୍ୱର, ତାଲିମ ଓ ଦକ୍ଷତାବିକାଶ ମାଧ୍ୟମରେ ଶ୍ରବଣବାଧିତ ଯୁବକଯୁବତୀମାନଙ୍କୁ ହୋଟେଲ ମ୍ୟାାନେଜମେଂଟରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରୟାସ କରିଛି । କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧୀନସ୍ଥ ସ୍ୱୟଂଶାସିତ ସଂସ୍ଥା ଇନିଷ୍ଟିଚ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଂଟ ଆଣ୍ଡ୍ କ୍ୟାଟରିଂ ଟେକ୍ନୋଲୋଜି ଆଣ୍ଡ୍ ଆପ୍ଲାଏଡ୍ ନ୍ୟୁଟ୍ରିସନ୍ ଏହି ଦିଗରେ ସହାୟତା ଯୋଗାଇ ଦେବ ।
ଉପରୋକ୍ତ କ୍ରମରେ ଇନ୍ଷ୍ଟିଚ୍ୟୁଟ୍ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଭିନ୍ନକ୍ଷମମାନଙ୍କ ପ୍ରଶିକ୍ଷଣ ଏବଂ ଦକ୍ଷତାବିକାଶ ବଳରେ ଆତ୍ମନିଯୁକ୍ତି ସୁଯୋଗ ବୃଦ୍ଧି ପାଇପାରିବ ବୋଲି ଉଲ୍ଲେଖ କରିଥିଲେ । ରାଜିନାମାରେ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଶାସନ ସଚିବ ଦିଲ୍ଲୀପ କୁମାର ରାୟ ଓ ଇନ୍ଷ୍ଟିଚ୍ୟୁଟର ଅଧ୍ୟକ୍ଷା ଶ୍ରୀମତୀ ସାରଦା ଘୋଷ ସ୍ୱାକ୍ଷର କରିଛନ୍ତି । ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସମେତ ଭିନ୍ନକ୍ଷମମାନଙ୍କ ସ୍ୱତନ୍ତ୍ର ଶିକ୍ଷା ଓ ଦକ୍ଷତା ବୃଦ୍ଧି, ତାଲିମ୍ ଉପବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ରାଜିନାମା ଅନୁସାରେ ୧୫୦ ଜଣ ଶ୍ରବଣବାଧିତ ଯୁବକଯୁବତୀଙ୍କୁ ପାଂଚଟି ବ୍ୟାଚ୍ ରେ ନିଯୁକ୍ତି ତଥା ଆତ୍ମନିଯୁକ୍ତି ନିମନ୍ତେ ପ୍ରଶିକ୍ଷଣ ଓ ଦକ୍ଷତାବିକାଶ ତାଲିମ ପ୍ରଦାନ କରାଯିବ ।