ଭୁବନେଶ୍ୱର, ବିଜେପିର ସଂକଳ୍ପ ପତ୍ର ଅଭିମତ ସଂଗ୍ରହ ଅଭିଯାନ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଏହି ଅଭିମତ ସଂଗ୍ରହ ଗାଡ଼ିର ଶୁଭାରମ୍ଭ ହୋଇଛି । ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କନକ ବର୍ଦ୍ଧନ ସିଂହଦେଓ, ପୃଥ୍ୱୀରାଜ ହରଚନ୍ଦନ ଏବଂ ଅନ୍ୟ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ଗାଡିର ଶୁଭାରମ୍ଭ ହୋଇଛି ।
ଏହି ଅଭିଯାନରେ ଦଳ ରାଜ୍ୟର 1 କୋଟି ଲୋକଙ୍କ ପାଖକୁ ଯାଇ ବିଜେପି ସଂକଳ୍ପ ପତ୍ର ପାଇଁ ପରାମର୍ଶ ଲୋଡିବ । 15 ଦିନ ଯାଏଁ ଚାଲିବ ଏହି ଅଭିଯାନ ଯାତ୍ରା । ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ 2 ଟି ଗାଡ଼ି ବୁଲିବ । ସେଥିରେ ସଂକଳ୍ପ ପତ୍ର ବାକ୍ସ ରହିବ । ଲୋକ ମାନେ ଗାଡ଼ି ପାଖକୁ ଆସି ମତାମତ ଦେବେ । ସେହିପରି ନାମୋ ଆପ୍ ଜରିଆରେ ମଧ୍ୟ ପରାମର୍ଶ ଦେଇ ପାରିବେ । ଏହା ସହ ୯୦୯୦୯୦୨୦୨୪ ନମ୍ବରରେ କଲ କରି ଭଏସ ମେସେଜ ଜରିଆରେ ମଧ୍ୟ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ନିଜର ମତ ବା ପରାମର୍ଶ ଦେଇ ପାରିବେ । ଚାଷୀଙ୍କ ଆୟ 2 ଗୁଣ କେମିତି କରିବା, ଦାଦନ ସମସ୍ୟାର ସମାଧାନ, ଚିଟ ଫଣ୍ଡ ପ୍ରସଙ୍ଗରେ ସରକାରଙ୍କ ନୀତି କଣ ହେବା ଆବଶ୍ୟକ, ମହିଳା ସଶକ୍ତିକରଣର ପାଇଁ ଆଉ କଣ ପଦକ୍ଷେପ ନେବା ଆବଶ୍ୟକ । ଏହାସହ ବିଜେପି କ୍ଷମତାକୁ ଆସିଲେ ଆଉ କଣ ଜନ ମଙ୍ଗଳକାରୀ ଯୋଜନା କରିହେବ । ଏ ନେଇ ମତାମତ ଦେବାକୁ ରାଜ୍ୟ ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି।