ଚମ୍ପୁଆ, ଏଲ ଆଣ୍ଡ ଟି ଫାଇନାନ୍ସ କର୍ମଚାରୀ ଋଣ ପରିଶୋଧ ଟଙ୍କା ହଡ଼ପ କରିବାକୁ ରଚିଥିଲେ ଲୁଟ ର ନାଟକ । ତେବେ ପୋଲିସ୍ ର ସନ୍ଦେହ ହେବାରୁ ଜେରା ବେଳେ ସତ ଉଗାଳିଛନ୍ତି କର୍ମଚାରୀ। ଲୁଟ ନାଟକ କରି ହଡ଼ପ କରିଥିବା ଟଙ୍କା କର୍ମଚାରୀ ରହୁଥିବା ଭଡା ଘରୁ ଜବତ କରିଥିବା ବେଳେ ସଂପୃକ୍ତ ଫାଇନାନ୍ସ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
ମିଳିଥିବା ଖବର ଅନୁଯାୟୀ, ଚମ୍ପୁଆ ଏନଏସି ସାତ ନମ୍ବର ୱାର୍ଡ ଧଳାଡିହ ଠାରେ କାର୍ଯ୍ୟ କରୁଥିବା ଏଲ ଆଣ୍ଡ ଟି ଫାଇନାନ୍ସ କମ୍ପାନୀରେ ଚାନ୍ଦବାଲି ଅଞ୍ଚଳର ଲିଟୁ ସେଠୀ ଫିଲ୍ଡ ଅଫିସର ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ଚମ୍ପୁଆର ବିଭିନ୍ନ ଅଞ୍ଚଳରୁ ଆଦାୟ କରିଥିବା ଲକ୍ଷାଧିକ ଋଣ ପରିଶୋଧ ଟଙ୍କା ନେଇ ଚଂପୁଆ ଆସୁଥିବା ବେଳେ ଶସାଙ୍ଗ ପୋଲ ନିକଟରେ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ତାଙ୍କ ଠାରୁ ଟଙ୍କା ଲୁଟ କରିଥିବା ନେଇ କମ୍ପାନୀ ମ୍ୟାନେଜରଙ୍କୁ ଜଣାଇଥିଲେ । ଏ ନେଇ ଫାଇନାନ୍ସ କମ୍ପାନୀ ମ୍ୟାନେଜର ଚିତ୍ତରଞ୍ଜନ ପଣ୍ଡା ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରି ପ୍ରଥମେ କର୍ମଚାରୀ ଜଣଙ୍କୁ ଜେରା କରିଥିବା ବେଳେ ପୋଲିସ ଜେରାରେ କର୍ମଚାରୀ ଜଣକ ସବୁ ସତ ସତ ମାନି ଯାଇଥିଲେ। ପୋଲିସ ସେ ରହୁଥିବା ଭଡ଼ା ଘରେ ଲୁଚାଇ ରଖିଥିବା ଟଙ୍କାକୁ ଜବତ କରିଛି। ଏଥି ସହିତ ଚମ୍ପୁଆ ଥାନା କେସ ନଂ ୧୦୬/୨୦୨୪ ରେ ମାମଲା ରୁଜୁ କରି ସଂପୃକ୍ତ ଯୁବକଙ୍କୁ କୋର୍ଟଚାଲାଣ କରିଛି । ଏ ସମ୍ପର୍କରେ ସମ୍ପୃକ୍ତ ଫାଇନାନ୍ସ କମ୍ପାନୀର ଚମ୍ପୁଆ ବ୍ରାଞ୍ଚ ମ୍ୟାନେଜର ଚିତରଞ୍ଜନ ପଣ୍ଡାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ପୃକ୍ତ ଫାଇନାନ୍ସ କମ୍ପାନୀ କର୍ମଚାରୀ ମାନେ ସାମ୍ବାଦିକଙ୍କୁ ବିଭିନ୍ନ ବାହାନା କରି କଥା ଲୁଚେଇବାକୁ ଚେଷ୍ଟା କରିଥିଲେ। ତେବେ କମ୍ପାନୀରେ ଦୈନିକ ସ୍ଥାନୀୟ ସାଧାରଣ ଲୋକଙ୍କ ଲକ୍ଷାଧିକ ଟଙ୍କା କାରବାର ହେଉଥିବା ବେଳେ କର୍ମଚାରୀ ମାନେ କଥା ଲୁଚେଇବାକୁ ଚେଷ୍ଟା କରିବା ଏହି ଏଲ ଆଣ୍ଡ ଟି ଫାଇନାନ୍ସ କମ୍ପାନୀର କର୍ମ ଚାରୀଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯାହା ତଦନ୍ତ ସାପେକ୍ଷ ନିଶ୍ଚୟ।