ଭୁବନେଶ୍ୱର,ଦେଶବ୍ୟାପୀ “ମେରା ପେହଲା ଭୋଟ୍ ଦେଶ କେ ଲିଏ” ଅଭିଯାନ ଜୋର ଧରିଥିବା ବେଳେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳାକୃତି ତିଆରି କରିଛନ୍ତି । ନିଜ କଳାକୃତି ଜରିଆରେ ସେ ଯୁବ ଓ ପ୍ରଥମ ଥର ଭୋଟରଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେବା ସହ ଗଣତନ୍ତ୍ରକୁ ସୁଦୃଢ଼ ଓ ସମୃଦ୍ଧ କରିବାକୁ ଅନୁରୋଧ କରିଛନ୍ତି ।
ଶ୍ରୀ ପଟ୍ଟନାୟକଙ୍କ କଳାକୃତିକୁ ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, “ବାଲିରେ ତିଆରି, କିନ୍ତୁ ଏହାର ଛାପ ପ୍ରତ୍ୟେକ ଭାରତୀୟଙ୍କ ମନରେ ରହିଛି ।” ମନ୍ତ୍ରୀ ତାଙ୍କ ଏକ୍ସ ପୋଷ୍ଟରେ ଆହୁରି ମଧ୍ୟ କହିଛନ୍ତି ଯେ “ମେରା ପେହଲା ଭୋଟ୍ ଦେଶ କେ ଲିଏ ଅଭିଯାନ ଦେଶର କୋଣ ଅନୁକୋଣରେ ପହଂଚିଥିବା ବେଳେ ପ୍ରଥମ ଥର ମତଦାନ କରିଥିବା ଭୋଟରଙ୍କ ଭିତରେ ଗଣତାନ୍ତ୍ରିକ ପ୍ରକ୍ରିୟାର ଅଂଶ ହେବା ପାଇଁ ଅତୁଳନୀୟ ଉତ୍ସାହ ଭରିଯାଇଛି, ଆମେ ବାଲିରେ ନିର୍ମିତ ଏହି ଅଭିଯାନର ଏକ ସୁନ୍ଦର ଅଭିବ୍ୟକ୍ତି ଦେଖୁଛୁ ।”
ଦେଶର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ମଧ୍ୟ ‘ମେରା ପେହଲା ଭୋଟ୍ ଦେଶ କେ ଲିଏ’ ଅଭିଯାନ କାର୍ଯ୍ୟକାରୀ ହେଉଛି । ଯୁବ ଭୋଟରମାନଙ୍କୁ ଆଗକୁ ଆସି ଭୋଟ୍ ଦେବା ପାଇଁ ଉତ୍ସାହିତ କରିବା ଏବଂ ଦେଶର ବୃହତ୍ତର ମଙ୍ଗଳ ପାଇଁ ମତଦାନର ଗୁରୁତ୍ୱ ଜଣାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ଏହି ପଦକ୍ଷେପ ନିର୍ବାଚନର ମହତ୍ୱ ଏବଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ମତଦାନର ଗୌରବ ବିଷୟରେ ବାର୍ତ୍ତା ଦେଇଥାଏ ।