ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଲୋକସେବା ଭବନର କନଭେନସନ୍ ହଲ୍ ଠାରେ ଆୟୋଜିତ ନିଯୁକ୍ତି ପର୍ବରେ ୧୨୯୪ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୭୨୫ ଜଣ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଯୋଗ ଦେଇଥିବା ବେଳେ ୨୮୦ ଜଣ ଅର୍ଥ ବିଭାଗରେ ଏବଂ ୧୨୯ ଜଣ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଯୋଗ ଦେଇଛନ୍ତି । ସେହିପରି ୧୬୦ ଜଣ କୃତୀ କ୍ରୀଡାବିତ୍ ଙ୍କୁ ୫ଟି ବିଭାଗ ଯଥା ଇସ୍ପାତ ଓ ଖଣି ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ,ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଗୃହ ବିଭାଗରେ ଯୋଗ ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ତାଙ୍କ ଶାସନ ପ୍ରଣାଳୀରେ ଲୋକଙ୍କ ଇଚ୍ଛା ସର୍ବୋଚ୍ଚ ଅଟେ । ତାଙ୍କ ସରକାର ଲୋକଙ୍କ ଜୀବନରେ ପରିବର୍ତନ ଆଣିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ନୂତନ କର୍ମଚାରୀମାନେ ସେମାନଙ୍କର ସମସ୍ତ ଆନ୍ତରିକତା ଏବଂ ଲୋକଙ୍କ ସେବା ପାଇଁ ପ୍ରତିବଦ୍ଧତା ସହିତ କାର୍ଯ୍ୟ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ନୂତନ ନିଯୁକ୍ତ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଂଜନ ଘଡାଇ ପ୍ରମୁଖ ଉପସ୍ଥିତ ଥିଲେ ।