
ଭୁବନେଶ୍ୱର, ଦୀର୍ଘ ୨୪ ବର୍ଷର ନବୀନ ଶାସନରେ ଓଡ଼ିଶାର ଛାତ୍ରଛାତ୍ରୀ ଉପେକ୍ଷିତ, ଅବହେଳିତ ଏବଂ ଅତ୍ୟାଚାରିତ, ଶିକ୍ଷା ବ୍ୟବସ୍ଥା ତଳିତଳାନ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଶିକ୍ଷାର ମାନ ବଢ଼ିଛି ବୋଲି ଯେଉଁ ପ୍ରଚାର କରୁଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା । ୫ଟି ଅଧ୍ୟକ୍ଷ କଲେଜରୁ କଲେଜ ବୁଲି ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ପାଇଁ ଭୋଟ ଯୋଗାଡ଼ କରିଛନ୍ତି । ମାତ୍ର ଛାତ୍ର ଛାତ୍ରୀମାନଙ୍କର ଅସୁବିଧାକୁ ସମାଧାନ କରିବାପାଇଁ କୌଣସି ସ୍ଥାୟୀ ପ୍ରତିକାର କରିନାହାନ୍ତି ବୋଲି ଶନିବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ “ଛାତ୍ର ଆଣିବେ ପରିବର୍ତନ” କାର୍ଯ୍ୟକ୍ରମ ଉଦ୍ଘାଟନ କରି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ କହିଛନ୍ତି ।
ଛାତ୍ର କଂଗ୍ରେସ “ଛାତ୍ର ଆଣିବେ ପରିବର୍ତନ” ର ଆହ୍ୱାନ ଦେଇଛି । ଅତ୍ୟାଚାରୀ, ଭ୍ରଷ୍ଟାଚାରୀ, ଦୁର୍ନତିଖୋର, ଛାତ୍ରବିରୋଧି ନବୀନ ସରକାରର ପତନ ପାଇଁ ଛାତ୍ର କଂଗ୍ରେସର କର୍ମକର୍ତାମାନେ ସହରରୁ ଗାଁ ପର୍ଯ୍ୟନ୍ତ ଯାଇଁ ଛାତ୍ରମାନଙ୍କୁ ବୁଝାଇବେ, ସାଧାରଣ ଜନତାଙ୍କୁ ବୁଝାଇବେ । ଅଗାମୀ ନିର୍ବାଚନରେ ପରିବର୍ତନର ସୂତ୍ରଧର ହେବାପାଇଁ ନିବେଦନ କରିବେ ।
ସେ କହିଛନ୍ତି ଏଠି ବିନା ଶିକ୍ଷକରେ ଚାଲିଛି ସ୍କୁଲ,କଲେଜ ଓ ୟୁନିର୍ଭସିଟି । ୩୦୦୦ ପ୍ରାଇମେରୀ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ପାଠ ପଢ଼ାଉଛନ୍ତି । ୬୭୮ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚବିଦ୍ୟାଳୟ ଶିକ୍ଷକ ଅଭାବରୁ ବନ୍ଦ ହେବା ପରିସ୍ଥିତି ସୃଷ୍ଟି ହୋଇଛି । ନୂତନ ନିଯୁକ୍ତି ନାହିଁ । ୭୫ ପ୍ରତିଶତ ସ୍କୁଲରେ ଖେଳପଡ଼ିଆ ନାହିଁ । ଶିକ୍ଷା ଅଧିକାର ଆଇନର ବ୍ୟବସ୍ଥା ଅନୁଯାୟୀ ୭୫ ପ୍ରତିଶତ ସ୍କୁଲର ଭିତିଭୂମିର ଷ୍ଟାଣ୍ଡାର୍ଡ଼ ନାହିଁ । ୩୪ ହଜାର ସ୍କୁଲରେ ଟୟଲେଟ ନାହିଁ, ୧୨ ହଜାର ସ୍କୁଲରେ ବିଜୁଳି ସଂଯୋଗ ନାହିଁ, ୪୨ ହଜାର ସ୍କୁଲରେ କମ୍ପ୍ୟୁଟର ବ୍ୟବସ୍ଥା ନାହିଁ । ୫ଟି ବ୍ୟବସ୍ଥାରେ ଉନ୍ନତ କରାଯାଇଥିବା ସ୍କୁଲର ସିଲିଂ ଖସିଲାଣି, କାନ୍ଥ ଦୋହଲୁଛି । ମ୍ୟାଟ୍ରିକ ଛାତ୍ର ଦାଦନ ଖଟିବାକୁ ଯାଉଛନ୍ତି । ଏହା ହେଉଛି ନବୀନମାର୍କା ଗୁଣାତ୍ମକ ଶିକ୍ଷା । ସରକାରୀ ଡିଗ୍ରୀ କଲେଜ ଓ ୟୁନିଭର୍ସିଟିରେ ମଧ୍ୟ ସମାନ ଅବସ୍ଥା ।
ବିରୋଧି ଦଳକୁ ଭୟ କରି ନବୀନ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଦେଇଛନ୍ତି । ନିର୍ବାଚନ ହୋଇଥିଲେ ନବୀନ ସରକାରର ଦୁର୍ନୀତି ବିରୋଧରେ ଯେଉଁ ଆନ୍ଦୋଳନ ହୋଇଥାନ୍ତା ସେଥିରୁ ମୁକ୍ତି ପାଇଁ ଏଭଳି ଷଡ଼ଯନ୍ତ୍ର କରାଯାଇଛି । ସମସ୍ତ ର୍ୟାଗିଂ ଘଟଣାରେ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତା ଓ ସମର୍ଥକ ସଂଶ୍ଳିଷ୍ଟ । କଲେଜରେ ମୋଦି ଓ ନବୀନ ଫଟୋ ପ୍ରତିଯୋଗିତା ଚାଲିଛି । ସମନ୍ୱିତ ଯୁବ ବିକାଶ ଯୋଜନା ଏବଂ ନୂଆ-ଓ ଯୋଜନାରେ ନାଚଗୀତ, ଖେଳକୁଦ, ଭୋଜିଭାତ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରାଗଲା । କିନ୍ତୁ ମୌଳିକ ଆବଶ୍ୟକତାକୁ ପୂରଣ କରାଗଲା ନାହିଁ । ନିର୍ବାଚନ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଭୋଟକୁ ହାତେଇବା ପାଇଁ ଏହା ଏକ ନାଟକବାଜୀ ଥିଲା । ନବୀନ ସରକାର ଯେଉଁ ସରକାରକି ସିଏଜିଙ୍କର ରିପୋର୍ଟ ଅନୁଯାୟୀ ୧୫ କୋଟି ଟଙ୍କା ଛାତ୍ରବୃତିରୁ ଲୁଟ କରିଛନ୍ତି ସେହି ସରକାର ଯେଉଁ ଛାତ୍ରବୃତି ଘୋଷଣା କରିଛନ୍ତି ତାହା କେବଳ ନିର୍ବାଚନ ପୂର୍ବରୁ ପ୍ରଲୋଭନ ।
ଆଜି ରାଜ୍ୟରେ ୨ଲକ୍ଷ ୨୬ ହଜାର ସରକାରୀ ପଦବୀ ଖାଲି ପଡ଼ିଛି । ୧୦ଲକ୍ଷ ବେକାର ଯୁବକ ଯୁବତୀ ନାମ ପଞ୍ଜିକରଣ କରାଇ ନିଯୁକ୍ତି ପାଇଁ ଚିତ୍କାର କରୁଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ଉପସଭାପତି ସୁନିଲ ମାଟିଆ, ସାଧାରଣ ସମ୍ପାଦକ ଭାଗ୍ୟଶ୍ରୀ ମହାନ୍ତି, ମୁଖ୍ୟ ମୁଖପାତ୍ର ବିଶ୍ୱଭୂଷଣ ମହାପାତ୍ର, ସାଧାରଣ ସମ୍ପାଦକ ଉଦିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।