-
ଅକ୍ଟୋବର ୨୦୨୩ ରୁ ପିଛିଲା ଭାବରେ କାର୍ଯ୍ୟକାରୀ ହେବ
-
ଉପକୃତ ହେବେ ୫୯୫୦୯ ସିଏସ୍ଏସ୍
ଭୁବନେଶ୍ୱର,ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି ନେଇ ଶନିବାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ ।
ରାଜ୍ୟରେ ମହିଳା ସଶକ୍ତିକରଣରେ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ଅତୁଳନୀୟ ଅବଦାନ କୁ ସମ୍ମାନ ଜଣାଇବା ସହ ସେମାନ ଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରୋତ୍ସାହନ ରାଶି ରେ ବୃଦ୍ଧି ଘୋଷଣା କରିଛନ୍ତି । ମିଶନ ଶକ୍ତି ଅଧୀନରେ ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଯଥା ଏମବିକେ, ସିଆରପି- ସିଏମ୍ , ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ଓ ଜୀବିକା ସହାୟିକା କାର୍ଯ୍ୟରତ ଅଛନ୍ତି । ଏହି ନୂତନ ଘୋଷଣା ଅନୁଯାୟୀ ମିଶନ ଶକ୍ତି ଅଧୀନରେ ଗ୍ରାମପଂଚାୟତ ସ୍ତରରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନେ ଉପକୃତ ହେବେ । ଉକ୍ତ ବର୍ଦ୍ଧିତ ପ୍ରୋତ୍ସାହନ ରାଶି ୨୦୨୩ ମସିହା ଅକ୍ଟୋବର ମାସଠାରୁ ପିଛିଲାଭାବେ ନିମ୍ନମତେ ଲାଗୁ କରାଯିବ ।
ଏମବିକେ, ବ୍ୟାଙ୍କ ମିତ୍ର ଏବଂ ଜୀବିକା ସହାୟିକା ମାନେ ମାସିକ ୬୭୫୦ ଟଙ୍କାରୁ ୧୦୭୫୦ ଟଙ୍କା ପାଇବେ । କୃଷି ମିତ୍ର ଓ ପ୍ରାଣୀ ମିତ୍ର ମାସିକ ୩,୭୫୦ ଟଙ୍କା ପରିବର୍ତେ ମୋଟ ୬,୨୫୦ ଟଙ୍କା ପାଇବେ । ସିଆରପି-ସିଏମ୍ ଏବେ ମାସକୁ ମୋଟ ୩୬୦୦ ଟଙ୍କା ପରିବର୍ତେ ୬୧୦୦ ଟଙ୍କା ପାଇବେ ।
ଉପରୋକ୍ତ ବର୍ଦ୍ଧିତ ପ୍ରୋତ୍ସାହନ ରାଶି ପିଛିଲା ଭାବେ ଅକ୍ଟୋବର,୨୦୨୩ ରୁ ପ୍ରଦାନ କରାଯିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିବା ବେଳେ ଏ ବାବଦକୁ ରାଜ୍ୟ ସରକାର ୯୬.୫୧ କୋଟି ଅତିରିକ୍ତ ଅର୍ଥ ରାଶିର ବ୍ୟୟ ବରାଦ କରିଛନ୍ତି ।
ସୂଚନାଯୋଗ୍ୟ ଯେ ୫ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେକମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନେ ତାଙ୍କୁ ଭେଟି ସେମାନଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି ବିଷୟରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।