ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ କୋରାପୁଟ ଜିଲା କୋଟପାଡ ଥାନା ଅନ୍ତର୍ଗତ ପକନାଗୁଡାର ଖାଡି ଭତରା (୨୦) ଓ ତା’ର ସହଯୋଗୀ ଗୁମଣ୍ଡଳୀ ଗ୍ରାମର ବଳି ଭତରା (୧୮)କୁ ପୁଲିସ ଗିରଫ କରିବାକୁ ସକ୍ଷମ ହୋଇଛି ।
ଶୁକ୍ରବାର ସନ୍ଧ୍ୟା ୫ଟାରେ ନବରଙ୍ଗପୁର ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ନୀତିନ କୁଶଲକର ଯୋଗଦେଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସଂପର୍କରେ ସୂଚନା ଦେଇଛନ୍ତି । ନାବାଳିକାକୁ ଦୁଷ୍କର୍ମ କରାଯାଇନଥିବା ଏସପି ଶ୍ରୀ କୁଶଲକର ସ୍ପଷ୍ଟ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ଦୁଷ୍କର୍ମ କରାଯାଇନଥିବା ଦର୍ଶାଯାଇଛି । ତେବେ ଏକ ତରଫା ପ୍ରେମକାରଣରୁ ନାବାଳିକାକୁ ହତ୍ୟା କରାଯାଇଥିବା ସେ କହିଛନ୍ତି । ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ପୁଲିସ ଟିମ୍ ଗଠନ କରାଯାଇଥିଲା । ଏଥିରେ ପାପଡାହାଣ୍ଡି ଏସଡିପିଓ ବିଜୟ କୁମାର ନାୟକ, ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ, କୋଷାଗୁମୁଡା ଥାନା ସବଇନ୍ସପେକ୍ଟର ନଟବର ନନ୍ଦ ଓ ଏସପି ଅଫିସ ସାଇବର ସେଲ୍ କର୍ମଚାରୀ ସନ୍ତୋଷ କୁମାର ନାୟକ ରହିଥିଲେ । ମୁଖ୍ୟ ଅଭିଯୁକ୍ତ ଖାଡିର ପିଉସୀ ପୁଅ ଭାଇ ବଳି ହୋଇଥିବାବେଳେ ସେ ନିୟମିତ ଭାବେ ଗୁମଣ୍ଡଳି ଗ୍ରାମକୁ ଯାଇ ରହୁଥିଲା । ଖାଡି ଏକ ତରଫା ଭାବେ ନାବାଳିକାକୁ ପ୍ରେମ କରୁଥିଲା । କିନ୍ତୁ, କୈାଣସି କାରଣରୁ ପ୍ରାୟ ୨୫ ଦିନ ପୂର୍ବରୁ ନାବାଳିକା ଜଣକ ଖାଡିକୁ ଚାପୁଡା ମାରିଥିଲା । ଏହାର ପ୍ରତିଶୋଧ ନେବା ପାଇଁ ଖାଡି ଯୋଜନା କରିଥିଲା । ଗତ ଡିସେମ୍ବର ୧୩ ତାରିଖ ଦିନ ଗାଁରେ ଦିଆଲି ପର୍ବ ଚାଲିଥିବା ବେଳେ ବଳି ଏକ ଝିଅ ଦ୍ୱାରା ନାବାଳିକାକୁ ଡକାଇ ପଠାଇଥିଲା । ନାବାଳିକା ତାଙ୍କର ଘର ଠାରୁ ପ୍ରାୟ ୫୦ ମିଟର ଦୂର ଆସିବା ପରେ ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ଖାଡି ଓ ବଳି ଦୁହେଁ ମିଶି ନାବାଳିକା ସହିତ ପାଟିତୁଣ୍ଡ କରିବା ସହ ସେଠାରୁ ଘୋଷାଡି ନେଇଥିଲେ । କିଛିଦୂର ନେବାପରେ ନାବାଳିକାର ଓଢଣୀରେ ତାର ବେକକୁ ଚିପିମାରି ଦେଇ ଅମରି ବୁଦାମୂଳେ ଫୋପାଡି ଚାଲିଯାଇଥିଲେ । ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଏସପି ଶ୍ରୀ କୁଶଲକର କହିଥିଲେ । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦିଆଯାଇଛି ।
Related Stories
November 24, 2024
November 24, 2024