ଭୁବନେଶ୍ୱର– ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ସେନାପତି, ଉତ୍କଳ ସମ୍ମିଳନୀର ସକ୍ରୀୟ ସଭ୍ୟ, ଉତ୍କଳଦୀପିକା ଖବର କାଗଜର ପ୍ରତିଷ୍ଠାତା ସମ୍ପାଦକ ଅତୁଳନୀୟ ବ୍ୟକ୍ତିତ୍ୱ କର୍ମବୀର ଗୌରୀଶଙ୍କର ରାୟଙ୍କ ୧୦୭ତମ ଶ୍ରାଦ୍ଧୋତ୍ସବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ପିଏମ୍ଜି ଛକସ୍ଥିତ ପ୍ରତିମୂର୍ତିସ୍ଥଳୀରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଶିକ୍ଷାବିତ୍ କାମଦେବ ମହାପାତ୍ର କବିତା ଆବୃତି କଲାପରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଓଡ଼ିଶା କାୟସ୍ଥ ସଭାର ବରିଷ୍ଠ ସଭ୍ୟ, ନାଟ୍ୟପ୍ରେମୀ ସତ୍ୟେନ୍ଦ୍ରନାଥ ବୋଷ, ବାବାଜୀ ଚରଣ ଚାନ୍ଦ, ଡ. ଅମ୍ବିକା ମହାରଣା, ଅମୂଲ୍ୟ କୁମାର ସ୍ୱାଇଁ, ସମାଜସେବୀ ଗିରିଜା ଶଙ୍କର ମହାପାତ୍ର, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଉଇ ଫର ଭୁବନେଶ୍ୱରର କାର୍ଯ୍ୟକ୍ରମ ସଂଯୋଜକ ନରେନ୍ ସାହୁ, କବି ଲକ୍ଷ୍ମୀଧର ଦାସ, ଅଶ୍ୱିନୀ ପଟ୍ଟନାୟକ, ଅମିତ୍ ପାତାଳସିଂହ, ଅକ୍ଷୟ ଜେଠୀ, ସବିତା ଦଳାଇଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନିଜ ବକ୍ତବ୍ୟରେ କର୍ମବୀର ଗୌରୀଶଙ୍କରଙ୍କ ସ୍ମୃତିଚାରଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଓ ସ୍ୱତନ୍ତ୍ର ଭାଷାଭିଲିକ ଓଡ଼ିଶା ପ୍ରଦେଶ ଗଠନ ପାଇଁ କର୍ମବୀର ଗୌରୀଶଙ୍କର ତାଙ୍କ ସମଗ୍ର ଜୀବନ ଉତ୍ସର୍ଗୀକୃତ କରିଥିଲେ । ପ୍ରେସ୍ ସ୍ଥାପନ ସହ ଉତ୍କଳଦୀପିିକା ଖବରକାଗଜ ପ୍ରତିଷ୍ଠା କରି ତାହାର ସମ୍ପାଦକ ଭାବରେ ରାଜ୍ୟରେ ଗଣମାଧ୍ୟମର ବିକାଶ କରିବା ସହ ସାହିତ୍ୟର ପ୍ରଚାର ପାଇଁ ଉଦ୍ୟମ କରିଥିଲେ । ଓଡ଼ିଶା କାୟସ୍ଥ ସଭା ମାଧ୍ୟମରେ କଟକରେ ଗରିବ ଛାତ୍ରମାନଙ୍କୁ ଛାତ୍ରାବାସରେ ରଖି ସେମାନଙ୍କ ଉଚ୍ଚଶିକ୍ଷା ସ୍ୱପ୍ନକୁ ସାକାର କରିବା ସହ ବିଧବାମାନଙ୍କ ଅଧିକାର ପାଇଁ ଲଢେଇ କରିଥିଲେ ବୋଲି ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଓଡ଼ିଶା କାୟସ୍ଥ ସଭା ତରଫରୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପନିର୍ଦ୍ଦେଶକ ଦେବାନନ୍ଦ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
November 21, 2024
November 21, 2024