-
ସେବାନିବୃତ ନୌସେନା ଅଧିକାରୀ, ବାୟୁସେନା ଅଧିକାରୀ ବିଜେପିରେ ସାମିଲ
ଭୁବନେଶ୍ୱର, ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବୁଧବାର ବିଶିଷ୍ଟ ଶିଳ୍ପ ବିଶାରଦ ତଥା ନାଲକୋର ପୂର୍ବତନ ସିଏମ୍ଡି ତଥା ବେଦାନ୍ତର ଉପାଧ୍ୟକ୍ଷ ଏବଂ ପରାମର୍ଶଦାତା ଡ. ତପନ କୁମାର ଚାନ୍ଦ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଡ. ଚାନ୍ଦଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉତରୀୟ ପିନ୍ଧାଇ ସ୍ୱାଗତ କରିଛନ୍ତି ।
ସେହିପରି ସେବାନିବୃତ ନୌସେନା ଅଧିକାରୀଗଣ ଯଥା ଡ.ବିପିନ ମିଶ୍ର, ଦିନବନ୍ଧୁ ଷଡଙ୍ଗୀ, ଅଶୋକ ପଟ୍ଟନାୟକ, ରମେଶ ଲେଙ୍କା ଏବଂ ସେବାନିବୃତ ବାୟୁସେନା ଅଧିକାରୀ କୃତିବାସ ମିଶ୍ର ଏବଂ ଏନ୍.କେ ମିଶ୍ର ମଧ୍ୟ ଆନୁଷ୍ଠାନିକଭାବେ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସେହିପରି ଯୁବନେତା ତଥା ବିଜୁ ଜନତା ଦଳ କୃଷକମୋର୍ଚ୍ଚାର ରାଜ୍ୟ ଉପସଭାପତି ଋଷି କୁମାର ପଟେଲ ବିଜେପିରେ ସାମିଲ ହୋଇଛନ୍ତି ।
ଜନସାଧାରଣ ଓ ରାଷ୍ଟ୍ରହିତ ପାଇଁ ସମ୍ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଉତ୍ସର୍ଗ ତଥା ତ୍ୟାଗରେ ଡ. ଚାନ୍ଦ ଅନୁପ୍ରାଣିତ ହୋଇ ବିଜେପି ଯୋଗ ଦେଇଥିବା କହିଛନ୍ତି । ମୋଦି ଶାସନରେ “ସେବା, ସୁଶାସନ ଏବଂ ଗରିବକଲ୍ୟାଣ” ମାଧ୍ୟମରେ ଏକ ନବ ଭାରତ ଗଠନ କରିବା ସହ ବିକଶିତ ଭାରତ ପଥରେ ଦେଶ ଅଗ୍ରଣୀ ହୋଇଛି । ମୋଦି ଗ୍ୟାରେଂଟି ଓ ବିକଶିତ ଭାରତ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇ ରାଜ୍ୟରେ ଶାସନ ପରିବର୍ତନ କରିବାରେ ସମର୍ପିତଭାବେ କାର୍ଯ୍ୟକରିବା ସହ ପ୍ରଧାନମନ୍ତ୍ରୀଙ୍କ ଅଭିଯାନକୁ ଜନାଦୃତ କରିବା ପାଇଁ ଆଜି ମିଶ୍ରଣ ପର୍ବ ଅବସରରେ ଶପଥ ନେଇଥିଲେ ଡ.ଚାନ୍ଦ ।
ଏହି ମିଶ୍ରଣ ପର୍ବରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ସାଧାରଣ ସଂପାଦକ ଶ୍ରୀମତୀ ପୂର୍ଣ୍ଣିମା କେରକେଟା, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର ଏବଂ ସେବାନିବୃତ ସାମରିକ ଅଧିକାରୀ କର୍ଣ୍ଣେଲ ବୀରେନ୍ଦ୍ର ବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ ।