
ମାଲକାନଗିରି-ମାଲକାନଗିରି ଜିଲ୍ଲା ମାଥିଲି ସଦର ପଞ୍ଚାୟତ ଅନ୍ୟ ପଞ୍ଚାୟତ ଠାରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରି ସବୁବେଳେ ଚର୍ଚ୍ଚାରେ ଥିବା ବେଳେ ଗତ ମଙ୍ଗଳବାର ଦିନ ଆଉ ଗୋଟେ ସଫଳତା ପାଇ ସରକାରଙ୍କ ଠାରୁ ପଞ୍ଚାୟତରାଜ ଦିବସରେ କୋଡିଏ ଲକ୍ଷ ଟଙ୍କା ଉପହାର ପାଇଥିବା ଜଣାପଡିଛି ।ସାରା ଓଡିଶାର ପଞ୍ଚାୟତଗୁଡିକ ମଧ୍ୟରୁ ମାଥିଲି ପଞ୍ଚାୟତ ୧ ୬ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ କରି ସର୍ବାଗ୍ରେ ରହି ପ୍ରଥମ ସ୍ଥାନ ଅଧିକାର କରିଛି ।ଗତ ମଙ୍ଗଳବାର ଦିନ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ଉପସ୍ଥିତିରେ ମାଥିଲି ସରପଞ୍ଚ କାନାମରାଜୁ ନାୟକ ଓ ପିଇଓ ଅଶୋକ ମହାରଣାଙ୍କୁ ସମ୍ମାନିତ କରାଯାଇଥିଲା ।ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଖୁସିର ଲହରୀ ଖେଳିଯାଇଥିଲା । ମଙ୍ଗଳବାର ସନ୍ଧ୍ୟାରେ ମାଥିଲି ଗାନ୍ଧୀ ଛକରେ ବାଣ ଫୁଟାଇ ସମସ୍ତେ ଖୁସି ମନାଇଥିଲେ ।ବୁଧବାର ଦିନ ସକାଳେ ସରପଞ୍ଚ ନାୟକ ଓ ପିଇଓ ମାଥିଲି ପହଂଚିବା ପରେ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ୱାଗତ କରାଯାଇଥିଲା ।