
-
ଓଡ଼ିଶାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି : ମୋଦି
ଚଣ୍ଡିଖୋଲ/ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଓଡିଶାକୁ ପ୍ରାୟ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଶିଳାନ୍ୟାସ କରିଥିଲେ । ଏହି ସଭାରେ ରାଜ୍ୟପାଳ ରଘୁବର ଦାସ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।
ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି କହିଥିଲେ ଯେ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଗୁରତ୍ୱ ଦେଉଛନ୍ତି । ଆମ ସରକାର ଯେଉଁ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥାଏ, ଏହାକୁ ପୂର୍ଣ୍ଣ ରୂପ ଦେବା ପାଇଁ ମଧ୍ୟ କାମ କରିଥାଏ । ୨୦୧୪ ମସହିା ପୂର୍ବରୁ ଅଟକି ଥିବା ପ୍ରକଳ୍ପଗୁଡ଼ିକର କାମ ଅଧିକ ତ୍ୱରାନ୍ୱିତ ହୋଇଛି । ଆମ ସରକାର ପାରାଦୀପ ରିଫାଇନାରି ପ୍ରକଳ୍ପକୁ ପୂରା କରିଛି । ପୂର୍ବ ଭାରତର ପ୍ରାକୃତିକ ସମ୍ବଳକୁ ବ୍ୟବହାର କରି ବିକାଶ କରାଯାଇଛି । ଆଜିଠୁ ଓଡ଼ିଶାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି ।
ପ୍ରଧାନମନ୍ତ୍ରୀ ମୋଦୀ ସମାରୋହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେ କହିଥିଲେ ଯେ, ଓଡ଼ିଶାର ବିକାଶ ଓ ଦେଶର ବିକାଶରେ ବିଜୁବାବୁଙ୍କ ଯୋଗଦାନ ଅତୁଳନୀୟ ଥିଲା । ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ଉତର ପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓଡ଼ିଶାରେ ବଡ଼ବଡପ୍ରକଳ୍ପ ଚାଲିଛି । ଆଜି ଲୋକାର୍ପିତ ହୋଇଥିବା ଗ୍ୟାସ ପାଇପଲାଇନ୍ ଦେଶପାଇଁ ସମର୍ପିତ ହେଇଛି । ପାରାଦୀପ ରିଫାଇନାରି ରେ ନୂଆ ପ୍ଲାଂଟ ଲୋକାର୍ପଣ ହୋଇଛି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଆଜି ଓଡ଼ିଶାରେ ୧୯,୬୦୦ କୋଟି ପ୍ରକଳ୍ପର ଭେଟି ଦେଇଛନ୍ତି । ଏଥିରେ ପାରାଦୀପ ରିଫାଇନାରୀରେ ଭାରତୀୟ ତୈଳ ନିଗମ ଲିମିଟେଡ୍ ମୋନୋ ଏଥାଇଲନ୍ ଗ୍ଲାଇକଲ୍ ପ୍ରକଳ୍ପ, ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିମି ଦୈର୍ଘ୍ୟର ପାଇପଲାଇନ ଉଦଘାଟନ କରିଛନ୍ତି । ପାରାଦୀପରେ ଏଲପିଜି ଆମଦାନୀ ସୁବିଧାକୁ ମଧ୍ୟ ଲୋକାର୍ପଣ କରିଥିବା ବେଳେ ବିଭିନ୍ନ ଜାତୀୟ ରାଜଥର ସମ୍ପ୍ରସାରଣ ପାଇଁ ଭିତିପ୍ରସ୍ତର ରଖିଛନ୍ତି । ସେହିପରି ୧୬୨ କିମି ବାଂଶପାଣି– ଦୈତାରୀ–ଟମକା– ଯଖପୁରା ରେଳ ଲାଇନ ଦୋହରୀକରଣକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । କଳିଙ୍ଗ ନଗରରେ କନକୋର କେଂଟନର ଡିପୋ ଉଦ୍ଘାଟନ, ନର୍ଲାଠାରେ ପ୍ରସ୍ତାବିତ ଇଲେକ୍ଟ୍ରିକ୍ ରେଳ ଇଂଜିନ ମରାମତି କାରଖାନା, କଂଟାବାଞ୍ଜିରେ ୱାଗନ୍ ମରାମତି କାରଖାନା ଏବଂ ବାଘୁଆପାଳରେ ରେଳ ଇଞ୍ଜିନ ଓ ୱାଗନ ରକ୍ଷଣାବେକ୍ଷଣ ସୁବିଧାଗୁଡ଼ିକର ନବୀକରଣ ଏବଂ କ୍ଷମତା ବୃଦ୍ଧି ପାଇଁ ଭିତିପ୍ରସ୍ତର ସ୍ଥାନ କରିଛନ୍ତି । କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର (ନୂଆଦିଲ୍ଲୀ) ମଧ୍ୟରେ ନୂତନ ଟ୍ରେନ୍ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଶୁଭାରମ୍ଭ, କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ହରିଦାସପୁର– ପାରାଦୀପ ରେଳ ମାର୍ଗରେ ଯାତ୍ରୀବାହୀ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି ।