-
ଚଣ୍ଡିଖୋଲରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ, ସାଧାରଣ ସଭାକୁ ସମ୍ବୋଧନ କରିବେ
ଧର୍ମଶାଳା, ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ଯାଜପୁର ଜିଲ୍ଲାର ଚଣ୍ଡିଖୋଲରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା ସହ ସେଠାରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିବା ପାଇଁ ବିଜେପି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି ।
ଗତକାଲି ସମାବେଶ ସ୍ଥଳ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ ପୋଲିସ ଡିଜି ଅରୁଣ ଷଡଙ୍ଗୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଚଣ୍ଡିଖୋଲ ନିକଟ ବେଣାପୁର ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ଼ ଓ ସାଧାରଣ ସଭାର ଆୟୋଜନ କରାଯାଇଛି । ଗତକାଲି ପୋଲିସ ଡିଜି ଅରୁଣ ଷଡଙ୍ଗୀ ବେଣାପୁର ପଡିଆ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ଗତକାଲି ଅସ୍ଥାୟୀ ହେଲିପ୍ୟାଡ଼ରେ ପରୀକ୍ଷାମୂଳକ ଭାବେ ବାୟୁସେନାର ହେଲିକ୍ୟାପ୍ଟର ଅବତରଣ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ (ଏସପିଜି) ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହାର ଯାଂଚ୍ କରାଯାଇଥିଲା । ସେହିପରି ଆଜି ପ୍ରଧାନମନ୍ତ୍ରୀଙ୍କ କାରକେଡ ରିହରସେଲ କରାଯାଇଛି । ଏପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ଚଳଚଂଚଳ ହୋଇଉଠିଛି । ବିଜେପି ରାଜ୍ୟ ପ୍ରଭାରୀଙ୍କ ସମେତ ବିଜେପିର ରାଜ୍ୟ ଓ ଜିଲ୍ଲା ନେତୃମଣ୍ଡଳୀ ମୋଦିଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି ।