ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଧିନସ୍ଥ ପିଠାଗୋଳା ଗ୍ରାମ ରାସ୍ତା ପାର୍ଶ୍ବରେ ଥିବା ଚେର ସାହୁଙ୍କ ପଥର କୂଅରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି ।
ଖବର ମୁତାବକ, ସୋମବାର ସକାଳେ ଗ୍ରାମର ଲୋକେ ଉକ୍ତ କୂଅରୁ ପାଣି ଆଣିବାକୁ ଯାଇଥିବା ବେଳେ ଭାସମାନ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛି । ମିଳିଥିବା ମୃତଦେହ ନନ୍ଦରା ଗ୍ରାମର ଦିବାକର ମହାପାତ୍ର(୬୦) ବୋଲି ଜଣାପଡ଼ିଛି ।
ଲୋକଙ୍କ କହିବା ଅନୁସାରେ, ଦିବାକର ମାତ୍ରାଧିକ ନିଶାସକ୍ତ ହୋଇ ରାତିରେ ଘରକୁ ଫେରୁଥିବା ବେଳେ କୌଣସି କାରଣରୁ ଉକ୍ତ କୂଅରେ ପଡିଯାଇଥିବା ଅନୁମାନ କରାଯାଉଛି । କିମ୍ବା କେହି ତାଙ୍କୁ ହତ୍ୟା କରି ପକାଇଥିବା ନେଇ ଗ୍ରାମରେ ଚର୍ଚ୍ଚା ଜୋର ଧରିଛି । ପୋଲିସ ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସଠିକ୍ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ଜଣାପଡ଼ିଛି ।