ଧର୍ମଶାଳା, ଗୋଟିଏ ଦିନ ପରେ ଓଡିଶା ଆସୁଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଗସ୍ତରେ ଆସି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିରାଟ ସାଧାରଣ ସଭାକୁ ଉଦବୋଧନ ଦେବେ । ଆଜି ସମାବେଶ ସ୍ଥଳ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ପୋଲିସ ଡିଜି । ଯାହାକୁ ନେଇ ଯାଜପୁର ଜିଲ୍ଲା ଚଳଚଂଚଳ ।
ଦିନକ ପରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଚଣ୍ଡିଖୋଲ ନିକଟ ବେଣାପୁର ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ଼ ଓ ସାଧାରଣ ସଭାର ଆୟୋଜନ କରାଯାଇଛି । ଆଜି ପୋଲିସ ଡିଜି ଅରୁଣ ଷଡଙ୍ଗୀ ବେଣାପୁର ପଡିଆ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ଏହି ସମୟରେ କେନ୍ଦ୍ରାଚଂଳ ଆଇଜି ଆଶିଷ ସିଂ, ଯାଜପୁର ଏସପି ଭିନିତ ଅଗ୍ରୱାଲଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଆଜି ସକାଳୁ ଅସ୍ଥାୟୀ ହେଲିପ୍ୟାଡ଼ରେ ପରୀକ୍ଷାମୂଳକ ଭାବେ ବାୟୁସେନାର ହେଲିକ୍ୟାପ୍ଟର ଅ୍ୱତରଣ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ (ଏସପିଜି) ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହାର ଯାଂଚ୍ କରାଯାଇଥିଲା । ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ କାରକେଡ ରିହରସେଲ କରାଯିବ ବୋଲି ପୋଲିସ ଡିଜି ସୂଚନା ଦେଇଛନ୍ତି । ଏପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ଚଳଚଂଚଳ ହୋଇଉଠିଛି । ବିଜେପି ରାଜ୍ୟ ପ୍ରଭାରୀଙ୍କ ସମେତ ବିଜେପିର ରାଜ୍ୟ ଓ ଜିଲ୍ଲା ନେତୃମଣ୍ଡଳୀ ମୋଦିଜୀଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି ।