ଜୟପୁର, ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆନୁକୂଲ୍ୟରେ ସହୀଦ ଲକ୍ଷଣ ନାୟକ ମେଡିକାଲ କଲେଜ ଅଡିଟୋରିୟମ୍ ହଲ୍ ରେ ଜିଲ୍ଲାପାଳ ପି. ଭି. କିର୍ତ୍ତୀଭାଶନଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତିର ସଠିକ ମୁକାବିଲା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଭାଗୀୟ ଅଧିକାରୀମାନଙ୍କୁ ନେଇ ପାନୀୟ ଜଳ, ବିଦ୍ୟୁତ, ସ୍ବାସ୍ଥ୍ୟ ସେବା, ଅଗ୍ନିଶମ ସେବା, ବିଦ୍ୟାଳୟ, ପରିବହନ, ପ୍ରାଣୀ ସମ୍ପଦ ବିଭାଗ ଓ ଅନ୍ୟାନ୍ୟ ବିଭାଗର ପଦକ୍ଷେପ ଉପରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ । ଗ୍ରାମାଞ୍ଚଳରେ ପାନୀୟଜଳ ସମ୍ପର୍କୀୟ ଅଭିଯୋଗ ପାଇବାର ୨୪ ଘଣ୍ଟା ମଧ୍ୟରେ ନଳକୂଅ କାର୍ଯ୍ୟକ୍ଷମ ସହ ଯେଉଁଠି ନଳକୂପର ବ୍ୟବସ୍ଥା ହୋଇପାରୁନାହିଁ, ସେହି ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଭଳି ପଞ୍ଚାୟତ, ଏନ୍ଏସି, ପୌରପରିଷଦ ଏବଂ ସମସ୍ତ ବିଡିଓ ଜନଗହଳି ଅଞ୍ଚଳରେ ପାନୀୟ ଜଳ ସେବା କେନ୍ଦ୍ର ବା ଜଳଛତ୍ର ଖୋଲିବା, ପିଏଚ୍ସି, ସିଏଚସି, ଉପଖଣ୍ଡ ଓ ସଦର ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଶୀତ ତାପ ନିୟନ୍ତ୍ରିତ କୋଠରି ବା କୁଲର ବ୍ୟବସ୍ଥା ଯୁକ୍ତ କୋଠରୀର ବ୍ୟବସ୍ଥା, ଯଥେଷ୍ଟ ଓଆର୍ଏସ୍ ଏବଂ ଆବଶ୍ୟକୀୟ ଔଷଧ ମହଜୁଦ ରଖିବା ପାଇଁ ସିଡିଏମଓଙ୍କୁ ଦାୟିତ୍ଵ ଦିଆଯାଇଥିଲା। ଜିଲ୍ଲା ଶ୍ରମ ଅଧିକାରୀ ସମସ୍ତ ଶ୍ରମିକମାନଙ୍କୁ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଖରାରେ ନିର୍ମାଣ କାର୍ଯ୍ୟ ନ କରିବାକୁ ଗୁରୁତ୍ବ ଆରୋପ କରାଯାଇଥିଲା। ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଉପରେ ଧ୍ୟାନ ଦେବାକୁ ଟିପିଏସଓଡିଏଲର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେଭଳି ସମସ୍ତ ଯାତ୍ରୀବାହୀ ବସ୍ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ରାସ୍ତାରେ ଯାତାୟାତ କରିବେ ନାହିଁ ବୋଲି କୁହାଯାଇଛି। ଅଂଶୁଘାତ ସୂଚନା ପାଇଁ ଜିଲ୍ଲାରେ ଏକ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି। ଜୀବଜନ୍ତୁଙ୍କ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ଦୃଷ୍ଟି ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।
ବୈଠକକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ପରିଚାଳନା କରିଥିଲେ। ଏହି ବୈଠକରେ ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ଜ୍ଞାନଜୀତ ତ୍ରିପାଠୀ, ଜ଼ିଲ୍ଲା ଶିକ୍ଷା ଅଧିକାରୀ, କୋରାପୁଟ, ଜିଲ୍ଲା କଲ୍ୟାଣ ଅଧିକାରୀ, କୋରାପୁଟ, ବିଭିନ୍ନ ବ୍ଲକ ଏବଂ ତହସିଲର ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର, ଓଡ୍ରାଫ, ଅଗ୍ନିଶମ ଅଧିକାରୀ ଏବଂ ସ୍ବେଛାସେବୀ ସଂଗଠନର କର୍ମକର୍ତା ମାନଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ପରିଶେଷରେ ଜରୁରୀ କାଳୀନ ବିଭାଗର (ଡିଆରଆରସି) ଅବନୀ କାନ୍ତ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।