-
ରାଜେନ୍ଦ୍ର ପ୍ରସାଦ ମିଶ୍ର
ମାଙ୍କଡ ଏବେ ଚାଷୀ ମାନଙ୍କ ଅର୍ଥନୈତିକ ବିକାଶରେ ବଇରୀ ସାଜିଛନ୍ତି।କେବଳ ଯେ ଚାଷୀ ମାନଙ୍କର କ୍ଷତି କରୁଛନ୍ତି ତାହା ନୁହେଁ , ଗାଁ ଗାଁ ରେ ଛପର,ଖପର,ଟାଇଲ ଏବଂ ଆଜବେଷ୍ଟସ ଘର ସବୁ ଚୁର ମା”ର କରି ଗ୍ରାମ୍ୟ ଜୀବନକୁ ଅସ୍ତ ବ୍ୟସ୍ତ କରି ପକାଉଛନ୍ତି। ଏ ପରିପ୍ରେକ୍ଷୀରେ 2016 ର ଏକ ଘଟଣା ଉଲ୍ଲେଖ କରିବା ଉଚିତ ମନେ କରୁଛି। ଆମେ ପ୍ରାୟ ୧୦ଟି ପରିବାର ତୀର୍ଥାଟନରେ ଯାଇ ଚିତ୍ରକୁଟ ରେ ମନ୍ଦିର ଦର୍ଶନ କରିବାକୁ ଗଲୁ। ମନ୍ଦିର ପାର୍ଶ୍ବରେ ଥିବା ନାଳରେ ଥିବା ଅଜସ୍ର ଛୋଟ ମାଛଙ୍କୁ କିଛି ଖାଦ୍ୟ ଦେବାକୁ ଯାତ୍ରୀମାନେ କିଛି କିଛି ଦାନା କିଣି ଆଗକୁ ଚାଲିଲେ ।କିଏ କିଏ ମାଙ୍କଡ ଭୟରେ ଦାନା ଲୁଚେଇ ଚାଲିଲେ ତ ଆଉ କିଛି ପଲିଥିନ୍ ଝୁଲେଇ ଝୁଲେଇ ଚାଲିଲେ। ହଠାତ୍ ମାଙ୍କଡ ଟିଏ ଗଛରୁ ଜଣେ ସ୍ତ୍ରୀଲୋକ ଉପରେ ଝାମ୍ପି ଦାନା ଜରିଟି ଛଡ଼ାଇ ନେଲା । ମାଙ୍କଡ ଧକ୍କାରେ ସ୍ତ୍ରୀଲୋକ ଟି ଚିତ୍ର ହୋଇ ତଳେ ପଡ଼ିଗଲା । ହେଲେ ଦେହରେ ଆଘାତ କିମ୍ବା କୌଣସି ରକ୍ତସ୍ରାବର ଚିହ୍ନ ଦେଖାଯାଉ ନ ଥିଲା । ମୁଣ୍ଡର ପଛପଟେ ମାଡ଼ ହୋଇଥିଲା । ସାମାନ୍ୟ ଯନ୍ତ୍ରଣାର ଅଭିଯୋଗ କରି ମୁଣ୍ଡ ଆଉଁସି ସ୍ତ୍ରୀଲୋକଟି ଉଠି ଆଗକୁ ଚାଲିଲେ। ପରେ ଚିତ୍ରକୁଟରୁ ପ୍ରୟାଗ ରାଜ ବସ୍ ରେ ଯାଉଥିବା ବେଳେ ସମ୍ପୃକ୍ତ ସ୍ତ୍ରୀଲୋକ ଟି ହଠାତ୍ ଅସ୍ପଷ୍ଟ ଭାଷାରେ ଚିତ୍କାର କଲା ଏବଂ କିଛି ଚିକିତ୍ସା ଦେବା ପୂର୍ବରୁ ପ୍ରାଣତ୍ୟାଗ କଲା । ପରେ ଜଣା ପଡିଲା ଯେ ସେଲିବ୍ରାଲ ହେମରେଜ କାରଣରୁ ତାଙ୍କର ମୃତ୍ୟୁ ହେଲା। ଏପରି ଅନେକ ଘଟଣା ସମାଜରେ ଘଟୁଛି ଯାହାର ଉଲ୍ଲେଖ ନାହିଁ। ଭାରତର ପ୍ରାୟ ପ୍ରତିଟି ଚାଷୀ ଘରବାଡ଼ି ପଟରେ ଯାହା ଅମୃତ ଭଣ୍ଡା, ସଜନା, ଶିମ୍ବ, କଖାରୁ ଚାଷ କରୁଥିଲେ ତାହା ଆଉ ମାଙ୍କଡ ଉପଦ୍ରବରୁ ଦେଖିବାକୁ ମିଳୁ ନାହିଁ। ମୁଗ, ବିରି ,କୋଳଥ ,ପନି ପରିବା ଆଦି ଚାଷ ରବି ଋତୁରେ କରୁଥିଲେ ତାହା ମାଙ୍କଡ ଉପଦ୍ରବ ଯୋଗୁଁ ବ୍ୟାହତ ହୋଇଛି। ତେଣୁ ବାସ୍ତବରେ ମାଙ୍କଡ ଦେଶ,ଚାଷ ଏବଂ ଗରିବର ବାସ ପାଇଁ ବାଧକ ହେଲେଣି। ସ୍ଥିତି ଅତି ଗମ୍ଭୀର ହୋଇ ପଡ଼ିଥିଲେ ହେଁ ସରକାରଙ୍କ ଦୃଷ୍ଟି ଆକର୍ଷିତ ହୋଇପାରି ନାହିଁ।
୨୦୧୯ ମସିହାରେ ଲୋକସଭାରେ ଚାରିଜଣ ମାନ୍ୟବର ସଦସ୍ୟ ମାଙ୍କଡ ଆତଙ୍କ (ମଂକି ଟେରର) ଶିରୋନାମାରେ ଏକ ସଂଯୁକ୍ତ ଅଣ ତାରକା ପ୍ରଶ୍ନ ନମ୍ବର ୯୮୦ ରେ ସରକାରଙ୍କୁ ପଚାରିଥିଲେ। ସେମାନେ ହେଲେ ଏସ୍ ରାଜେନ୍ଦ୍ରନ୍ , କୁଵର ହରିବଂଶ ସିଂ,ଗଜାନନ କିସ୍ତି କାର ଏବଂ ସୁଧିର ଗୁପ୍ତ।।୮/୨/୨୦୧୯ରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଡଃ. ମହେଶ ଶର୍ମା ଲିଖିତ ଉତ୍ତର ରଖି କହିଥିଲେ ଯେ ଏ ମାଙ୍କଡ ମାନଙ୍କ ଦ୍ବାରା ସଙ୍ଗଠିତ ମାନବ ଜୀବନ ଏବଂ ସମ୍ପତ୍ତି କ୍ଷୟକ୍ଷତିକୁ (ମଂକି ମିନେସ ) ମାଙ୍କଡ ବିପତ୍ତି ଆଖ୍ୟାୟିତ କରି ଏମାନଙ୍କୁ ନିୟନ୍ତ୍ରଣ କରିବାର ଦାୟୀତ୍ଵ ବନ୍ୟ ଜନ୍ତୁ ସଂରକ୍ଷଣ ଆଇନ୧୯୭୨ ର ଧାରା ୧୧ ଏବଂ ୧୨ରେ ବନ୍ୟଜନ୍ତୁ ସଂରକ୍ଷକ ଙ୍କୁ ଅର୍ପଣ କରାଯାଇଛି।ସେ ଆହୁରି ବି କହିଛନ୍ତି ଯେ ୨୦୧୭ମସିହାରେ ସରକାର ମାନବୀୟ ଧନ ଜୀବନକୁ କ୍ଷତି କରୁଥିବା ବନ୍ୟଜନ୍ତୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ପାଇଲଟ ପ୍ରୋଜେକ୍ଟ ମଞ୍ଜୁର କରି ଏମାନଙ୍କୁ ବଂଶ ବୃଦ୍ଧି ନିୟନ୍ତ୍ରଣ ପାଇଁଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।ଏଥି ସକାଶେ ସରକାର ରାଜକୋଶ ରୁ ୧୦.୬୫ କୋଟି ଟଙ୍କା ୨୦୧୭/୧୮ ରେ ବ୍ୟୟ ବରାଦ ହୋଇଛି। ଏ ଯୋଜନାରେ ଦିଲ୍ଲୀ ର ମାଙ୍କଡ ବହୁଳ ମାଙ୍କଡ ଉପଦ୍ରବିତ ଅଞ୍ଚଳ ରୁ ୨୦୦୦୦ମାଙ୍କଡ ଆଶୋଲା ଭଟୀ ପ୍ରାଣୀ ଉଦ୍ୟାନ କୁ ସ୍ଥାନାନ୍ତରିତ କରାଯାଇଥିବା ଘଟଣାର ଵି ଉଲ୍ଲେଖ ରହିଛି। ବନ୍ୟ ଜନ୍ତୁ ସଂରକ୍ଷଣ ଆଇନ ରେ ମାଙ୍କଡ ଦ୍ବିତୀୟ ଅନୁଚ୍ଛେଦରେ ଉଲ୍ଲେଖ ଥିବାରୁ ଏବଂ ଏମାନେ ମାନବୀୟ ଧନ ଜୀବନ ର କ୍ଷତି କରୁଥିବାରୁ ଏମାନଙ୍କୁ ଭର୍ମିନ ବା ନିକୃଷ୍ଟ ଘୋଷଣା କରିବାରେ ଆଇନଗତ ବ୍ୟବସ୍ଥା ରହିଛି ।ଏହାଦ୍ବାରା ଏମାନଙ୍କ ଶିକାର/ହତ୍ୟା କରାଯାଇ ପାରିବ ।କିନ୍ତୁ ସରକାର ତାହା କରୁନାହାନ୍ତି। ଯଦି ମାଙ୍କଡ ମାନଙ୍କୁ ବଜରଙ୍ଗବଲୀଙ୍କ ଅବତାର ବୋଲି ସରକାର ସଂରକ୍ଷଣ ଦେବାକୁ ଚାହାନ୍ତି ତେବେ ଉଲ୍ଲିଖିତ କୌଣସି ଯୋଜନା କରି କୈ।ଣସି ବନଜନ୍ତୁ ସଂରକ୍ଷଣ ଉଦ୍ୟାନ କୁ ସ୍ଥାନାନ୍ତରଣ କରି ସେମାନଙ୍କ ପୋଷଣ କରନ୍ତୁ। ଅନ୍ୟଥା ମାଙ୍କଡଙ୍କ ଦ୍ବାରା ଧନ ଜୀବନରେ ଆକ୍ରାନ୍ତ ଜନ ସାଧାରଣ ଦେଶରେ ଏକ ସରକାର ତଥା ବ୍ୟବସ୍ଥା ରହିଛି ବୋଲି ଭୁଲି ଯିବାକୁ ବାଧ୍ୟ ହେବା ସ୍ଵାଭାବିକ।