ରାୟପୁର, ଛତିଶଗଡର ବିଜାପୁରରେ ନକ୍ସଲମାନେ ବିଜେପି ନେତା ତିରୁପତି କଟଲାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କଟଲାଙ୍କ ହତ୍ୟାରେ ଦୁଃଖ ପ୍ରକାଶ କରିଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ଜାରି ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନକ୍ସଲଙ୍କ ସହ ଆମ ଲଢେଇ ନିର୍ଣ୍ଣାୟକ ମୋଡରେ ଅଛି । ସେମାନଙ୍କ ଉଦ୍ଦେଶ୍ୟକୁ କେବେ ସଫଳ ହେବାକୁ ଦିଆଯିବନାହିଁ ।
ବିଜାପୁର ପୋଲିସ ଅଧୀକ୍ଷକ ଜିତେନ୍ଦ୍ର ଯାଦବ କହିଛନ୍ତି ଯେ, ବିଜେପି ମଣ୍ଡଳ ସଂଯୋଜକ ତଥା ଜନପଦ ସଦସ୍ୟ ତିରୁପତି ଶୁକ୍ରବାର ରାତିରେ ବିବାହ ସମାରୋହରେ ସାମିଲ ହେବାକୁ ଯାଇଥିଲେ । ରାସ୍ତାରେ ନକ୍ସଲମାନେ ତାଙ୍କୁ ଆକ୍ରମଣ କରିଥିଲେ । ଲୋକେ ତାଙ୍କୁ ବିଜାପୁର ଜିଲ୍ଲା ହସ୍ପିଟାଲ ନେଇଥିଲେ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ତୋୟନାର ଗାଁରେ ଗତକାଲି ରାତି ପ୍ରାୟ 8ଟା ବେଳେ ହୋଇଛି ।