ଭୋପାଳ, ଉତ୍ତର ପ୍ରଦେଶ ସମେତ ତିନି ରାଜ୍ୟର ରାଜ୍ୟପାଳ ଥିବା ତଥା କଂଗ୍ରେସର ବରିଷ୍ଠ ନେତା ଅଜିଜ କୁରୈସୀଙ୍କ ଶୁକ୍ରବାର ଦିନ ଭୋପାଳରେ ବିୟୋଗ ହୋଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଥିବା କାରଣରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ 83 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ରାଜନୈତିକ ମାହୋଲରେ ଶୋକ ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ।
1941 ମସିହା, ଏପ୍ରିଲ 24 ତାରିଖରେ ଭୋପାଳରେ ଜନ୍ମ ହୋଇଥିବା କୁରୈସୀ ମଧ୍ୟପ୍ରଦେଶ କଂଗ୍ରେସ ଇଲେକ୍ସନ କମିଟିର ସଚିବ, ଭାରତୀୟ ଯୁବ କଂଗ୍ରେସର ପ୍ରତିଷ୍ଠାତା ସଦସ୍ୟ ସହିତ 1973ରେ ମଧ୍ୟପ୍ରଦେଶ ସରକାରର ବିଭିନ୍ନ ବିଭାଗରେ ମନ୍ତ୍ରୀ ଥିଲେ । ସେ ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଓ ମିଜୋରାମର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ ।