
-
୩୦୦୦ କୋଟି ଟଙ୍କା ପୁଞ୍ଜିନିବେଶ, ୧୦ ହଜାର ନିଯୁକ୍ତି ସୁଯୋଗ
-
ଦକ୍ଷିଣ ଓ ପଶ୍ଚିମ ଓଡିଶାର କପା ଚାଷୀମାନେ ହେବେ ଉପକୃତ
-
ଆଜି ଚୌଦ୍ୱାର ତା’ର ହୃତଗୌରବ ଫେରି ପାଇବାକୁ ଯାଉଛି- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶନିବାର ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପେ୍ଲକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହା ସହିତ ଚୌଦ୍ୱାରରେ ଆରମ୍ଭ ହୋଇଛି ଶିଳ୍ପାୟନ ପୁର୍ନବିକାଶର ଏକ ଗୌରବମୟ ଅଧ୍ୟାୟ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଚୌଦ୍ୱାର ପାଇଁ ବହୁତ ଖୁସିର ଦିନ । ଚୌଦ୍ୱାର ଆଜି ତାର ଗୌରବ ଫେରି ପାଇବାକୁ ଯାଉଛି । ପଚାଶ ଦଶକର ଆରମ୍ଭରେ ବିଜୁ ବାବୁ ଚୌଦ୍ୱାରରେ ଶିଳ୍ପ ବିକାଶର ଭିତି ରଖିଥିଲେ । ଆଜି ପୁଣି ଥରେ ଚୌଦ୍ୱାର ପାଇଁ, କଟକ ଜିଲ୍ଲା ପାଇଁ, ସାରା ଓଡିଶା ପାଇଁ ଶିଳ୍ପ କ୍ଷେତ୍ରରେ ନୂଆ ଇତିହାସ ଲେଖାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ ୱେଲସ୍ପନ ଗ୍ରୁପ ବିଶ୍ୱର ଏକ ପ୍ରସିଦ୍ଧ ବୟନ ସାମଗ୍ରୀ ଉତ୍ପାଦନ କମ୍ପାନୀ । ଚୌଦ୍ୱାରରେ ଏହା ଏକ ଇଂଟିଗ୍ରେଟେଡ୍ ଟେକ୍ସଟାଇଲ ମାନୁଫାକଚରିଂ ଫାସିଲିଟି ଏବଂ ୱେୟାରହାଉସିଂ କମ୍ପେ୍ଲକ୍ସ ନିର୍ମାଣ କରୁଛି । ଏଥିପାଇଁ କମ୍ପାନୀ ୩,୦୫୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରୁଛି । ଏହା ଦ୍ୱାରା ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ସହିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକୁ ବ୍ୟାପାର କ୍ଷେତ୍ରରେ ବିପୁଳ ସମ୍ଭାବନା ସୃଷ୍ଟି ହେବା ସହିତ ରାଜ୍ୟର ଶିଳ୍ପ ବାତାବରଣରେ ଉନ୍ନତି ଆସିବ । ୨୦୨୨ ମେକ-ଇନ୍-ଓଡିଶା କାର୍ଯ୍ୟକ୍ରମ ସମୟରେ ରାଜ୍ୟ ଶିଳ୍ପ ବିଭାଗ ଓ ଇପିକଲ୍ ପକ୍ଷରୁ ଏକ ଟିମ୍ ୱେଲସ୍ପନ ଗ୍ରୁପର ଅଧ୍ୟକ୍ଷ ବି.କେ. ଗୋଏଙ୍କାଙ୍କୁ ଓଡିଶାରେ ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ । ଓଡିଶାର ଶିଳ୍ପନୀତି ଓ ଅନୁକୂଳ ଶିଳ୍ପ ବାତାବରଣକୁ ଉପଲବ୍ଧି କରି ଏହି ଗୃପ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସମ୍ମତି ପ୍ରକାଶ କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଶିଳ୍ପ ଦ୍ୱାରା ଆମର କଳାହାଣ୍ଡି, ବଲାଙ୍ଗୀର, ରାୟଗଡା ଓ ଗଜପତି ପରି ଜିଲ୍ଲାର କପା ଚାଷୀ ମାନେ ମଧ୍ୟ ଉପକାର ପାଇବେ । ବୟନ ଶିଳ୍ପରେ ମା ମାନଙ୍କ ପାଇଁ ବହୁତ ସୁଯୋଗ ଅଛି ବୋଲି ମତ ଦେଇ ସେ କହିଥିଲେ ଯେ ସେମାନଙ୍କର ଦକ୍ଷତା ବିକାଶ କରାଯାଇ ସେମାନଙ୍କର ନିଯୁକ୍ତି ପାଇଁ ବହୁତ ସୁଯୋଗ ଆସିବ ।
ୱେଲସ୍ପନ ଗ୍ରୁପ ସାରା ପୃଥିବୀର ଏକ ପ୍ରସିଦ୍ଧ ପ୍ରସିଦ୍ଧ ବୟନ ଶିଳ୍ପ କମ୍ପାନୀ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଇଉରୋପ, ଆମେରିକା ପରି ବିଶ୍ୱର ଧନୀ ଦେଶ ମାନଙ୍କୁ ଏହାର ସାମଗ୍ରୀ ବହୁ ସଂଖ୍ୟାରେ ରପ୍ତାନୀ ହୁଏ । ଏପରି କମ୍ପାନୀ ଓଡିଶାକୁ ଆସିବା, ବହୁତ ଖୁସିର କଥା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚୌଦ୍ୱାରରେ ଏହି କମ୍ପାନୀ ପୁଞ୍ଜିନିବେଶ ଓ ନିଯୁକ୍ତି କ୍ଷେତ୍ରରେ ଓଡିଶା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବ ।
ୱେଲସ୍ପନ ଗ୍ରୁପର ଅଧ୍ୟକ୍ଷ ବି.କେ. ଗୋଏଙ୍କାଙ୍କୁ ଓଡିଶାରେ ପୁଞ୍ଜି ବିନିଯୋଗ ପାଇଁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ବିକାଶ ଯାତ୍ରାରେ ୱେଲସ୍ପନ ଗ୍ରୁପର ପାର୍ଟନରସିପ୍ ଅଭିବୃଦ୍ଧିର ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ସେ ମତ ଦେଇଥିଲେ । ଏହି ଶିଳ୍ପର ସଫଳତା ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ସେ ପ୍ରତିଶୃତି ଦେଇଥିଲେ ।
ଶିଳ୍ପ କ୍ଷେତ୍ରରେ ଆଜିର ଏହି ଯାତ୍ରା କଟକ ଜିଲ୍ଲାର ବିକାଶକୁ ଉଜ୍ଜଳ କରିବ ବୋଲି ପ୍ରକାଶ କରି ସେ କହିଥିଲେ ଯେ ସମସ୍ତଙ୍କ ସହଯୋଗରେ ଓଡିଶା ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବରେ ସାରା ପୃଥିବୀରେ ସୁନାମ କରିବ ।
ୱେଲସ୍ପନ ଗ୍ରୁପର ଅଧ୍ୟକ୍ଷ ବି. କେ. ଗୋଏଙ୍କା କହିଲେ ଯେ ଗତ ୨୦ ବର୍ଷ ମଧ୍ୟରେ ଓଡିଶାରେ ବ୍ୟାପକ ଉନ୍ନତି ଆସିଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଓ କଠିନ ପରିଶ୍ରମ ଯୋଗୁ ଆଜି ଓଡିଶାରେ ଏପରି ପରିବର୍ତନ ଦେଖିବାକୁ ମିଳିଛି ବୋଲି ସେ କହିଥିଲେ । ଓଡିଶାରେ ଶିଳ୍ପ ବିକାଶର ଭିତି ବିଷୟରେ ଆଲୋକପାତ କରି ସେ ବିଜୁ ବାବୁଙ୍କ ଉଦ୍ୟମ ସଂପର୍କରେ କହିଥିଲେ । ଓଡିଶାର କପା ଚାଷୀଙ୍କ ଉନ୍ନତି ପାଇଁ ମଧ୍ୟ ସେ ଉଦ୍ୟମ କରିବେ ବୋଲି ପ୍ରକାଶ କରି ସେ କହିଥିଲେ ଓଡିଶାର ଶିଳ୍ପ ବାତାବରଣକୁ ଆହୁରି ଉନ୍ନତ କରିବା ପାଇଁ ସେ ତାଙ୍କର ଅବଦାନ ରଖିବେ ବୋଲି କହିଥିଲେ । ଏହି ପ୍ରକଳ୍ପ ଦ୍ୱାରା ୧୦ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସହିତ ୨୦ ହଜାର ପରୋକ୍ଷ ନିଯୁକ୍ତି ମିଳିବ ବୋଲି ସେ ସୂଚନା ଦେଇଥିଲେ ।
କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଲେ ଯେ ଚୌଦ୍ୱାର ହେଉଛି ଓଡିଶାର ପ୍ରଥମ ଶିଳ୍ପ ନଗରୀ । ଆଜି ପୁଣି ଥରେ ଏହା ବିକାଶ ପଥରେ ଅଗ୍ରସର ହେଲା । ଏହି ଶିଳ୍ପ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସହିତ ବ୍ୟାପକ ଆତ୍ମନିଯୁକ୍ତି ମଧ୍ୟ ସୃଷ୍ଟି କରିବ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଯୋଗ ଦେଇ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ ଉପସ୍ଥିତ ଜନସାଧାରଣଙ୍କ ସହ ମତ ବିନିମୟ କରି ବିଭିନ୍ନ ଯୋଜନାର ବର୍ଦ୍ଧିତ ଭତା ସଂପର୍କରେ ଆଲୋଚନା କରିଥିଲେ । ମଧୁବାବୁ ପେନ୍ସନ୍, ମମତା, ଲକ୍ଷ୍ମୀ ଓ କଳାକାର ଭତା ଯୋଜନା ସଂପର୍କରେ ସେ ବଢିଥିବା ଭତା ସଂପର୍କରେ ଲୋକଙ୍କୁ ସଚେତନ କରିଥିଲେ । ନୂଆ-ଓ ଛାତ୍ରବୃତି ସଂପର୍କରେ ସୂଚନା ଦେଇ ସେ କହିଥିଲେ ଯେ ଚଳିତ ମାସ ୨୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ଏହି ଛାତ୍ରବୃତି ପାଇବେ । ବୟନଶିଳ୍ପ ପାଇଁ ୬୫୦ ପରିବାରର ଘର ସମସ୍ୟା ସୃଷ୍ଟି ହେଉଥିବା ସଂପର୍କରେ ସୂଚନା ଦେଇ ସେ କହିଥିଲେ ଏହି ସମସ୍ୟା ଶୀଘ୍ର ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ସୌଭିକ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ । ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।