ବଲାଙ୍ଗିର, ଜାତୀୟ ସ୍ତରରୁ ଦିଆଯାଇଥିବା ଭାରତ ବନ୍ଦ ଆଜି ବଲାଙ୍ଗିରରେ ସ୍ଵତଃ ସ୍ପୂର୍ତ ଭାବରେ ସଫଳ ହୋଇଛି। ଜିଲ୍ଲା କିସାନ କଂଗ୍ରେସ ଓ ଅନ୍ୟ ସଂଗଠନ ପକ୍ଷରୁ ବଣିକ ସଂଘ ଓ ଅନୁଷ୍ଠାନ ମାନଙ୍କୁ ବନ୍ଦ ପାଳନକୁ ସମର୍ଥନ କରିବାକୁ ଅନୁରୋଧ କରାଯାଇଥିଲା। ଆଜି ଏଠାରେ ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ପ୍ରତିଷ୍ଠାନ ବନ୍ଦ ରହିଛି। ଯାନବାହନ ଚଳାଚଳ ସ୍ବାଭାବିକ ରହିଥିଲେ ମଧ୍ୟ ଆଜି ଗ୍ରାମାଞ୍ଚଳରୁ ଯିବା ଆସିବା କମ ରହିଛି। ଆଜିଠାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପରୀକ୍ଷାର୍ଥୀ ମାନେ ଅସୁବିଧା ସମ୍ମୁଖୀନ ହୋଇଥିଲେ। ଆଜି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପିକେଟିଂ କରି ବନ୍ଦ କରାଯାଇଛି। ଦିନ ୧୧ଟା ରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଏକ ପ୍ରତିବାଦ ସଭା କିଷାନ କଂଗ୍ରେସ ଜିଲ୍ଲା ସଭାପତି ସାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ପ୍ରତିବାଦ ସଭାରେ ବିଭିନ୍ନ ବକ୍ତା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଜିଲ୍ଲାରେ ବନ୍ଦ ପାଳନ ଦୃଷ୍ଟିରେ ପୋଲିସର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରତି ଛକ ଓ ବଜାର ଅଞ୍ଚଳରେ ପୋଲିସ ମୁତୟନ କରାଯାଇ ପେଟ୍ରୋଲିଂ ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।
ଜିଲ୍ଲାର ଅନ୍ୟ ଅଞ୍ଚଳରେ ଏହି ବନ୍ଦ ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି। ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୁଦ୍ଧରେ ଆମେ ସରକାରୀ କଳକୁ ଅଚଳ କରି ଆମର ଦାବିକୁ ସମର୍ଥନ କରିଥିବା ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଉଛୁ ବୋଲି କୁଷକ ନେତା ଶ୍ରୀ ମିଶ୍ର ଗଣମାଧ୍ୟମ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି।