
ପୁରୀ– ଆଜି ପବିତ୍ର ମାଘ ସପ୍ତମୀରେ ଅର୍କକ୍ଷେତ୍ରର ଚନ୍ଦ୍ରଭାଗା ସ୍ଥିତ ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଛନ୍ତି ୩ ଲକ୍ଷରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇବା ପରେ ସମୁଦ୍ର କୂଳେ ଆଜିର ପ୍ରଥମ ସୂର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି । ଏହାପରେ ପୁରୀ ଶ୍ରୀମନ୍ଦିରକୁ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ।
ଶ୍ରଦ୍ଧାଳୁ ମାନେ ଗତ ରାତିରୁ ନଡ଼ିଆ ଚାଂଚଘେରା କୁଡ଼ିଆରେ ବସି ମାଟି ହାଣ୍ଡିରେ ଶୁଖିଲା କାଠ ଜାଳି ଶୁଖୁଆ ଡ଼ାଲମା ପ୍ରସ୍ତୁତ କରିଥିଲେ । ପରେ ଏହାକୁ ସେବନ କରି ହାଣ୍ଡିଭଙ୍ଗା ଗଡ଼ିଆରେ ଫୋପାଡି ଥିଲେ । କଡ଼ା ସୁରକ୍ଷା ମଧ୍ୟରେ ତିନି ଠାକୁର ଯଥା ମହାପ୍ରଭୁ ତ୍ରିବେଣୀଶ୍ଵର, ଐଶାନେଶ୍ଵର, ଦକ୍ଷିଣେଶ୍ଵର ପାରମ୍ପରିକ ଶୋଭାଯାତ୍ରାରେ ଆସି ଚନ୍ଦ୍ରଭାଗା ତୀର୍ଥ ପୂଜା ମଣ୍ଡପରେ ପହଂଚିବା ପରେ ଭୋର୍ ୪ଟା ୩୦ ରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ମହାସ୍ନାନ କରାଯାଇଛି । ଠାକୁର ମାନଙ୍କ ମହାସ୍ନାନ ପରେ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇଛନ୍ତି । ଏହି ଅବସରରେ ସାଧୁସନ୍ଥଙ୍କ ଦ୍ଵାରା ତୀର୍ଥ ପୁଷ୍କରିଣୀରେ ଆଳତୀ କରାଯାଇଥିଲା । ଏହି ପବିତ୍ର ଦିନରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟଙ୍କୁ ଦର୍ଶନ କଲେ ପାପକ୍ଷୟ ସହ ରୋଗମୁକ୍ତ ହୋଇଥାଏ ବୋଲି ବିଶ୍ଵାସ ରହିଛି । ତେଣୁ ନିଜ ପରିବାରକୁ ରୋଗ, ଶୋକ, ଭୟରୁ ମୁକ୍ତ ରଖିବାକୁ ହିନ୍ଦୁ ଧର୍ମାବଲମ୍ବୀ ମାନେ ଏହି ପବିତ୍ର ଦିନରେ ବୁଡ଼ ପକାଇ ସୂର୍ଯ୍ୟ ଦର୍ଶନ କରିଥାନ୍ତି ।
ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସେଠାରେ ୩୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଆଇନ ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।