ପୁରୀ– ଆଗାମୀ ସାଧାରଣ ନିର୍ବାଚନ ୨୦୨୪ କୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସେକ୍ଟର ଅଫିସର ଓ ସେକ୍ଟର ପୋଲିସ ଅଫିସର ମାନଙ୍କର ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) କୈଳାସ ଚନ୍ଦ୍ର ନାୟକ ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ ଓ ଏଥିରେ ଅଧ୍ୟକ୍ଷତା କରିଥିଲେ। ନିର୍ବାଚନ କିମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ଵାନ ଜଣାଇଥିଲେ । ଭଲ୍ନରେବିଲିଟି ମ୍ୟାପିଙ୍ଗ୍ ବା ବିପଦସଙ୍କୁଳ ବୁଥ୍ ଚିହ୍ନଟିକରଣ, ମତଦାନ କେନ୍ଦ୍ରକୁ ଅନୁଧ୍ୟାନ, କେନ୍ଦ୍ରରେ ବିଦ୍ୟୁତ ସଂଯୋଗ, ପାନୀୟ ଜଳ ବ୍ୟବସ୍ଥା, ରାମ୍ପ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥାକୁ ନିରୀକ୍ଷଣ ସହ ନିର୍ବାଚନ ପୂର୍ବରୁ, ନିର୍ବାଚନ ଦିନ ଓ ନିର୍ବାଚନ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ସେ ବିସ୍ତୃତ ପ୍ରଶିକ୍ଷଣ ଦେଇ ନିର୍ବାଚନକୁ ଶୃଙ୍ଖଳିତ ପରିଚାଳନା ପାଇଁ ୧୦ ଗୋଟି ଗୁରୁତ୍ଵପୂର୍ଣ୍ଣ ଟିମ ଗଠିତ ହୋଇଛି ବୋଲି କହିଥିଲେ।
ସେକ୍ଟର ଅଫିସର ଓ ସେକ୍ଟର ପୋଲିସ୍ ଅଫିସର୍ ମାନଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ. ଶରତ ଚନ୍ଦ୍ର ମହାପାତ୍ର ଅତ୍ୟନ୍ତ ନିଷ୍ଠାର ସହ ନିର୍ବାଚନ ଦାୟିତ୍ଵକୁ ପରିଚାଳନା ପାଇଁ ପରାମର୍ଶ ଦେଇଥିଲେ। ମତଦାନ ପ୍ରକ୍ରିୟା ସମ୍ପର୍କରେ ସେକ୍ଟର ଅଫିସର ମାନେ ସମ୍ପୂର୍ଣ୍ଣ ଅବଗତ ହୋଇ ତାଙ୍କ ଅଧନରେ ଥିବା ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ କରାଇବାକୁ ସେ ଆହ୍ଵାନ ଦେଇଥିଲେ। ଉପଜିଲ୍ଲାପାଳ ଗୋପୀନାଥ କୁଅଁର ପିପିଟି ମାଧ୍ୟମରେ ତାଲିମ ଦେବା ସହ ସେକ୍ଟର ଅଫିସର ମାନଙ୍କ ଦାୟିତ୍ଵ ସମ୍ବନ୍ଧରେ ବିଷଦ ଆଲୋଚନା କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥୀ ହାସଁଦା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ଏକ ଗୁରୁତ୍ଵପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟା। ନିର୍ବାଚନ ଆରମ୍ଭ ପୂର୍ବରୁ ଓ ନିର୍ବାଚନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ଆମେ ସମସ୍ତେ ଭାରତର ନିର୍ବାଚନ କମିଶନଙ୍କ ଅଧିନରେ କାର୍ଯ୍ୟ କରୁଥିବାରୁ ଏହାର ଗୁରୁତ୍ଵ କୁ ଅନୁଭବ କରି କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଥିଲେ। ନିର୍ବାଚନ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ଓ ଶେଷରେ ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପ୍ରାକ୍ଟିକାଲ ଭାବେ ଇଭିଏମ ଓ ଭିଭିପାଟର ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର ସେକ୍ଟର ଅଫିସର ଓ ସେକ୍ଟର ପୋଲିସ୍ ଅଫିସରମାନେ ଯୋଗ ଦେଇଥିଲେ।