ଗଞ୍ଜାମ– ଏକ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ବ୍ରହ୍ମପୁର ନିକଟସ୍ଥ ହଳଦିଆପଦର ଓଭରବ୍ରିଜ୍ ପାଖରେ ତିନି ଜଣ ଦୁର୍ବୃତ ଛୁରୀ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଗୋଷାଣୀନୂଆଗାଁ ଥାନାରେ ଅଭିଯୋଗ ହୋଇଛି । ପୋଲିସ କେସ୍ ନଂ ୪୭/୨୪ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଲୁଟ୍ ଅଭିଯୋଗ କରିଥିବା ବ୍ୟକ୍ତି ହେଲେ ଗାଙ୍ଗପୁର ଥାନା ବିରିପୁରର ମୂଳ ବାସିନ୍ଦା ଲିପୁନ ପ୍ରଧାନ । ସେ ଗୋଷାଣୀନୂଆଗାଁ କୌତୁକୀ ନଗରରେ ରହୁଥିବା ବେଳେ ପ୍ରାୟ ୬ ମାସ ହେବ ଏକ ଫାଇନାନ୍ସ ସଂସ୍ଥାରେ କଲେକ୍ସନ ମେମ୍ବର ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ଅଭିଯୋଗ ମୁତାବକ ସେ ଋଣ କିସ୍ତି ଆଦାୟ କରି ଏବଂ ଋଣ ବଂଟନ ପାଇଁ ଗତକାଲି ଆମ୍ବପୁର ଏବଂ ହଳଦିଆପଦର ଯାଇଥିଲେ । ସେ ସଂନ୍ଧ୍ୟାରେ ସେଠାରୁ ଫେରିବା ବାଟରେ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଓଭର ବ୍ରିଜ୍ ପାଶ୍ୱର୍ ରାସ୍ତାରେ ତିନି ଜଣ ଦୁର୍ବୃତ ଏକ କଳା ରଙ୍ଗର ବାଇକ୍ ରେ ପଛପଟୁ ଆସି ଲିପୁନଙ୍କ ବାଇକ୍ କୁ ଗୋଇଠା ମାରିଥିଲେ । ଫଳରେ ବାଇକ୍ ସହ ଲିପୁନ୍ ତଳେ ପଡି ଯାଇଥିଲେ । ଏହି ସମୟରେ ଦୁର୍ବୃତ ମାନେ ତାଙ୍କୁ ଛୁରୀ ଦେଖାଇ ତାଙ୍କ ଠାରୁ ଟଙ୍କା ଭର୍ତି ବ୍ୟାଗ୍ ଟିକୁ ଛଡାଇ ନେଇ ହଳଦିଆପଦର ଆଡକୁ ଚମ୍ପଟ୍ ମାରିଥିଲେ । ସେହି ବ୍ୟାଗ୍ ରେ ୧ ଲକ୍ଷ ୨୩ ହଜାର ୪୬୯ ଟଙ୍କା ସହ ଅଫିସ୍ ଟ୍ୟାବ୍, ବାୟୋମେଟ୍ରିକ ମେସିନ, ପର୍ସ ଓ ଦଶମ, ଯୁକ୍ତ ଦୁଇ ସାର୍ଟିଫିକେଟ, ଭୋଟର କାର୍ଡ଼, ଗାଡିର କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ, ଇନ୍ସୁରାନ୍ସ କାଗଜପତ୍ର ରହିଥିବା ଏତଲାରେ ଦର୍ଶଯାଇଛି ।