କୋଲକାତା– ପଶ୍ଚିମବଙ୍ଗର ହିଂସାଗ୍ରସ୍ତ ସନ୍ଦେଶଖାଲି ଅଭିମୁଖେ ଯାଉଥିବା ଭାଜପା ପ୍ରତିନିଧି ମଣ୍ଡଳିକୁ ରାମପୁରରେ ରୋକାଯାଇଛି । ଧାରା ୧୪୪ ଲଗାଯାଇଥିବା ଦର୍ଶାଇ ପୋଲିସ ତାଙ୍କୁ ଅଟକାଇଥିଲା । ଭାଜପା ପକ୍ଷରୁ କୁହାଯାଇଛି ଯେ, କେବଳ ୪ ଜଣ ଘଟଣାସ୍ଥଳକୁ ଯିବେ, ତେବେ ପୋଲିସ ଶୁଣିବାକୁ ନାରାଜ । ପ୍ରତିନିଧି ମଣ୍ଡଳିର ଦୁଇ ଜଣ ସେଠାକୁ ଯିବା ପାଇଁ ଭାଜପା ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଛି । ତେବେ ପୋଲିସ ଏଥିପାଇଁ ପ୍ରସ୍ତୁତ ନାହିଁ । ଏହାପରେ ପ୍ରତିନିଧି ମଣ୍ଡଳି ରାସ୍ତା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗର ଉତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିରେ ମହିଳାଙ୍କ ସହିତ ଯୌନ ଉତ୍ପୀଡ଼ନ ଏବଂ ହିଂସା ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଛନ୍ତି । ଶୁକ୍ରବାର ଏହି ଟିମ୍ ସନ୍ଦେଶଖାଲି ଅଭିମୁଖେ ଯାତ୍ରା କରିଛି । ତାଙ୍କ ସହିତ ପଶ୍ଚିମବଙ୍ଗର ଭାଜପା ବିଧାୟକ ଅଗ୍ନିମିତ୍ର ପାଲ ମଧ୍ୟ ରହିଛନ୍ତି । ଭାଜପା ପ୍ରତିନିଧି ମଣ୍ଡଳିର ଗସ୍ତକୁ ଦୃଷ୍ଟିରେ ରଖି ସନ୍ଦେଶଖାଲିରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଶ୍ରୀ ନଡ୍ଡା ସନ୍ଦେଶଖାଲି ଘଟଣାକୁ ଗୁରୁତ୍ଵର ସହ ନେଇ କେନ୍ଦ୍ର ମନ୍ତ୍ରୀ ଏବଂ ସାଂସଦଙ୍କ ୬ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରିୟ କମିଟି ଗଠନ କରିଛନ୍ତି । ଏହି କମିଟି ଘଟଣାସ୍ଥଳକୁ ଯାଇ ତଥ୍ୟ ଏକତ୍ରିତ କରିବା ସହ ନିଜର ରିପୋର୍ଟ ଖୁବ୍ ଶୀଘ୍ର ତାଙ୍କୁ ପ୍ରଦାନ କରିବ । କେନ୍ଦ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ଏହି ଉଚ୍ଚସ୍ତରିୟ କମିଟିର ସଂଯୋଜକ କରାଯାଇଛି । କମିଟିର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତିମା ଭୌମିକ, ସାଂସଦ ସୁନିତା ଦୁଗଲ, ସାଂସଦ କବିତା ପାଟିଦାର, ସାଂସଦ ସଙ୍ଗୀତା ଯାଦବ ଏବଂ ରାଜ୍ୟସଭା ସାଂସଦ ବ୍ରିଜଲାଲ ।