
ବଲାଙ୍ଗିର– ଭୁଲ ବଶତଃ ଟ୍ରେନରେ ଛାଡି ଦେଇଥିଲେ ସୁନା ଅଳଙ୍କାର । ସେହି ସୁନା ଅଳଙ୍କାରକୁ ଉଦ୍ଧାର କରି ରେଳ ଯାତ୍ରୀଙ୍କୁ ସୁରକ୍ଷିତ ଗତ ମଙ୍ଗଳବାର ଫେରାଇଲା ରେଳବାଇ ପୁଲିସ । ହାୱଡାରୁ ରାଉରକେଲା ଅଭିମୁଖେ ଆସୁଥିବା ଦମ୍ପତି ଭୁଲରେ ଲକ୍ଷାଧିକ ଟଙ୍କାର ହୀରା ସୁନାଗହଣା ଟ୍ରେନରେ ଛାଡି ଦେଇଥିବାବେଳେ ପୁଲିସ ତାକୁ ଉଦ୍ଧାର କରି ସୁରକ୍ଷିତ ଭାବରେ ଫେରାଇ ଦେଇଛି ।
ମିଳିଥିବା ସୂଚନା ଅନୁସାରେ ହାୱଡା ନିବାସୀ ଶ୍ୟାମ ତେବେରୱାଲ ଓ ତାଙ୍କର ସ୍ତ୍ରୀ ଅଂଶୁ କିଶନ ଲାଲ ବର୍ମନ ରୋଡ ଶାଳକିଆ କଲିକତା ପଶ୍ଚିମବଙ୍ଗରୁ ରାଉରକେଲାରେ ଏକ ବାହାଘରକୁ ଗତ ସୋମବାର ଆସିଥିଲେ । ହାୱଡାରୁ ଜଗଦଲପୁର ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସରେ ବସି ଯାତ୍ରା କରୁଥିଲେ । ରାଉରକେଲାରେ ଓହ୍ଲାଇବା ସମୟରେ ଭୁଲବଶତଃ ତାଙ୍କର ସୁନାଗହଣା ଭର୍ତି ନୀଳ ରଙ୍ଗର ବ୍ୟାଗକୁ ସେଠାରେ ଏ ୱାନ୍ କୋଚରେ ଛାଡିଦେଇଥିଲେ । ତେବେ ଟ୍ରେନଟି ବଲାଙ୍ଗିର ଜଙ୍କସନକୁ ପହଞ୍ଚିବା ସମୟରେ ରେଳବାଇ ପୁଲିସର ଜଣେ କର୍ମଚାରୀ ବ୍ୟାଗଟିକୁ ଦେଖିଥିଲେ । ତାକୁ ଉଦ୍ଧାର କରି ଥାନାରେ ଜଣାଇବା ପରେ ଯାତ୍ରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରି ବଲାଙ୍ଗିର ରେଳବାଇ ପୁଲିସ ତାଙ୍କୁ ଫୋନ କରିଥିଲା । ସେତେବେଳ ପର୍ଯ୍ୟନ୍ତ ସେ ସୁନାଗହଣା ଛାଡିଥିବା କଥା ଜାଣି ନଥିଲେ । ପୁଲିସଠାରୁ ଖବର ପାଇବା ପରେ ସେମାନେ ସଙ୍ଗେସଙ୍ଗେ ବଲାଙ୍ଗିର ଆସି ସୁନାଗହଣା ପାଇଥିବା କହିଛନ୍ତି । ସୁନାଗହଣାର ମୂଲ୍ୟ ୧୬ ଲକ୍ଷରୁ ଅଧିକ ହେବ ବୋଲି ସେମାନେ କହିଛନ୍ତି । ସେମାନେ ରେଳବାଇ ପୁଲିସକୁ ଧନ୍ୟବାଦ ଦେବା ସହ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।