ବୌଦ୍ଧ, ବୌଦ୍ଧ ଜିଲା ନଳିକୁପା ଜଙ୍ଗଲରେ ଗୁରୁବାର ଦିନ ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରଣ ସୂଚନା। ବିସ୍ଫୋରଣରେ ୨ ଜଣ ଏସଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଏସଓଜି ଯବାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ କଣ୍ଟାମାଲ ମେଡିକାଲ ଓ ପରେ ବଲାଙ୍ଗୀର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନା ମତେ, ମନମୁଣ୍ଡା ଥାନା ଶଗଡା ଫାଣ୍ଡି ନଳିକୁପା ଜଙ୍ଗଲରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଏସଓଜି ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହା ସହ ଘଟଣାସ୍ଥଳରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏଥିରେ ଗୁରୁତର ଆହତ ଜବାନ ହେଲେ ଉତ୍କଳ ପଟେଲ ଏବଂ ଆର.ଏସ. ନାୟକ । ଏହି ଘଟଣା ନେଇ ସୂଚନା ମିଳିବା ପରେ ଜିଲାର ସମସ୍ତ ପୋଲିସ ଅଧିକାରୀ ଘଟଣାସ୍ଥଳକୁ ଅଧିକ ଫୋର୍ସ ଧରି ଯାଇଛନ୍ତି। ପୁଲିସ ପକ୍ଷରୁ କୁମ୍ବିଂକୁ ଯୋରଦାର କରାଯାଇଛି । ମାଓବାଦୀଙ୍କ ଆହତ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ ।
ପ୍ରକାଶ ଥାଉକି, ଗତ ନଭେମ୍ବର ମାସରେ ଜିଲ୍ଲାର ମନମୁଣ୍ଡା ଥାନା ଅର୍ନ୍ତଗତ ଶଗଡା ଫାଣ୍ଡି ଅଂଚଳରେ ଥିବା ରାବେଣଶ୍ଵର ଜଙ୍ଗଲରେ ଏସଓଜି ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ମାଓବାଦୀମାନେ ପଛଘୁଂଚା ଦେଇଥିଲେ । ପୁଲିସ ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିବାରେ ସଫଳ ହୋଇଥିଲା । ତାର ପରବର୍ତ୍ତି ସମୟରେ ଗତ ଡିସେମ୍ବର ମାସରେ ପୁଣି ଥରେ ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅନ୍ତର୍ଗତ ନଳିକୁପା ଗାଁ ନିକଟ ଜଙ୍ଗଲରେ ଜବାନ ଓ ସଶସ୍ତ୍ର ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଏକ ମାଓକ୍ୟାମ୍ପ ନଷ୍ଟ କରାଯିବା ସହିତ ବିପୁଳ ପରିମାଣର ମାଓସାମଗ୍ରୀ ଜବତ କରାଯାଇଥିଲା । ଏହି ଦୁର୍ଗମ ଅଂଚଳ ଗୁଡିକରେ ମାଓବାଦୀ ସକ୍ରିୟ ହେବା ଫଳରେ ସାଧାରଣ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି ।