-
ଯୋଗାଯୋଗ ହେଉଛି ବିକାଶର ଆଧାର, ଆମ ଅର୍ଥନୀତିର ମୁଖ୍ୟ ଶକ୍ତି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁବାର ‘ଆମ ବସ୍ ଷ୍ଟାଣ୍ଡ’ ଯୋଜନାରେ ୧୩ଟି ଜିଲ୍ଲାରେ ୨୦ଟି ନବନିର୍ମିତ ବସ୍ ଷ୍ଟାଣ୍ଡ ଉଦ୍ଘାଟନ କରିଛନ୍ତି । ଏହି ଜିଲ୍ଲା ଗୁଡିକ ହେଲା- ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଢେଙ୍କାନାଳ, ଗଜପତି, କେନ୍ଦ୍ରାପଡା, କେନ୍ଦୁଝର, କୋରାପୁଟ, ନୟାଗଡ, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁବର୍ଣ୍ଣପୁର ।
ଉଦ୍ଘାଟନ ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୋଗାଯୋଗ ହେଉଛି ବିକାଶର ଆଧାର । ଏହା ହେଉଛି ଆମ ଅର୍ଥନୀତିର ମୁଖ୍ୟ ଶକ୍ତି । ଗାଁଠୁ ସହର ସବୁଆଡେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ଆମର ଲକ୍ଷ୍ୟ ରହିଛି । ୫ଟି ଉପକ୍ରମରେ ଆମର ଯୋଗାଯୋଗ ଭିତିଭୂମି ଓ ସାଧାରଣ ପରିବହନର ବ୍ୟବସ୍ଥାର ବିକାଶ କରାଯାଉଛି । ଗାଁକୁ ଲକ୍ଷ୍ମୀ ଯୋଜନାରେ ବ୍ଲକ ସହ ଯୋଡା ଯାଉଛି । ଭୁବନେଶ୍ୱରରେ ମେଟ୍ରୋ ରେଳ ଯୋଜନା ଆରମ୍ଭ ହୋଇଛି ବୋଲି କହି ଯୋଗାଯୋଗରେ ଉନ୍ନତି ହେଲେ ଲୋକଙ୍କ ରୋଜଗାର ବଢିବା ସହ ଚାଷୀ ଭାଇ ଭଉଣୀମାନେ ଲାଭବାନ ହେବେ ଓ ପିଲାଙ୍କ ପାଠପଢାରେ ସୁବିଧା ହେବ ବୋଲି ସେ କହିଥିଲେ ।
‘ଆମ ବସ୍ ଷ୍ଟାଣ୍ଡ’ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ନୂଆ ବସ୍ ଷ୍ଟାଣ୍ଡଗୁଡିକ ବ୍ୟବସାୟ କେନ୍ଦ୍ର ଭାବେ ଧିରେ ଧିରେ ବିକଶିତ ହେବ ଏବଂ ଏହା ଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବ । ସେ ଆହୁରି ମଧ୍ୟ କହିଥିଲେ ଯେ ସାଧାରଣ ପରିବହନ ଭିତ୍ତିଭୂମିକୁ ମଜବୁତ୍? କରିବା ସହିତ ଲୋକମାନେ ଯେପରି ଏହି ସାଧାରଣ ପରିବହନ ବ୍ୟବସ୍ଥାକୁ ବହୁଳ ଭାବେ ବ୍ୟବହାର କରିବେ ସେଥିପାଇଁ ସମସ୍ତଙ୍କୁ ସଚେତନ କରିବା ଆବଶ୍ୟକ । ନୂଆ ବସ୍? ଷ୍ଟାଣ୍ଡରେ ଲୋକମାନଙ୍କର ସୁରକ୍ଷା ସହିତ ସେଠାରେ ଉପଲବ୍ଧ ସାଧାରଣ ସୁବିଧା ସୁଯୋଗର ଉପଯୁକ୍ତ ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଥିଲେ ।
ଏହି ଅବସରରେ କାର୍ଯ୍ୟକ୍ରମରେ ଭାଗ ନେଇ ତୃତୀୟ ମହଲା କନଫରେନ୍ସ ହଲରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ନୂଆପଡାଠାରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ମୁନିଗୁଡାଠାରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ହରଭଙ୍ଗାଠାରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ୍ ନୂଆ ବସ୍ ଷ୍ଟାଣ୍ଡ ମାଧ୍ୟମରେ ଜନସାଧାରଣଙ୍କ ଗମନାଗମନକୁ ସୁବ୍ୟବସ୍ଥିତ କରାଯାଇଛି ଏବଂ ଏହି ବସ୍ ଷ୍ଟାଣ୍ଡଗୁଡିକ ରାଜ୍ୟର ପରିବହନ ସେବା କ୍ଷେତ୍ରରେ ମାଇଲଖୁଂଟ ବୋଲି ସେମାନେ କହିଥିଲେ ।
କାର୍ଯ୍ୟକ୍ରମକୁ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ ।
କାର୍ଯ୍ୟକ୍ରମରେ ଭୋଗରାଇଠାରେ ବିଧାୟକ ଅନନ୍ତ ଦାସ, ସିମିଳିଗୁଡାଠାରେ ବିଧାୟକ ରଘୁରାମ ପଡାଲ, ବିରମହାରାଜପୁରଠାରେ ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ କହିଥିଲେ ଯେ ନୂଆ ବସ୍ ଷ୍ଟାଣ୍ଡ ଦ୍ୱାରା ସାଧାରଣ ଲୋକଙ୍କର ଗମନାଗମନ ବ୍ୟବସ୍ଥାରେ ଯେଉଁ ଅସୁବିଧା ଥିଲା ତାହା ଦୂର ହୋଇଛି । ଜନସାଧାରଣଙ୍କ ପାଇଁ ଏଭଳି ସୁବିଧା ସୁଯୋଗ ଆଣିଦେଇଥିବା ହେତୁ ମୁଖ୍ୟମନ୍ତ୍ରୀ ଓ ୫ଟି, ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ ।
କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓଏସଆରଟିସିର ସିଏମଡି ଦିପ୍ତେଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।