ମାଲକାନଗିରି, ଫେବୃଆରୀ ମାସରେ ତାତିଲାଣି ବଣପାହାଡ଼ ଘେରା ମାଲକାନଗିରି ଜିଲ୍ଲା। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଓ ପାନୀୟ ଜଳସଙ୍କଟ ଦେଖା ଦେଇଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଗ୍ରାମବାସୀ ପାଣି ପାଇଁ ଡହଳ ବିକଳ ହେବା ସହ ଲୋକେ ହନ୍ତସନ୍ତ ହେଉଛନ୍ତି । ମାଲକାନଗିରି ବ୍ଲକ ବୁରୁଦି, ଟିଟିବିରି, ତଣ୍ଡିକି, ଚାଲାଣ ଗୁଡ଼ା, ଟିଟିଙ୍ଗ, ଚିଡ଼ିପାଲି ଗାଁରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ଅନେକ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନ ଥିବାରୁ ଶୋଷ ମେଣ୍ଟାଉଛନ୍ତି ଚୁଆର ଗୋଳିଆ ଅପରିଷ୍କାର ପାଣିରେ। ପ୍ରଶାସନକୁ ଗୁହାରି ପରେ ବି କେହି କର୍ଣ୍ଣପାତ ନ କରିବାରୁ ଦୂଷିତ ପାଣିକୁ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି ଜିଲ୍ଲାର ଅନେକ ଗ୍ରାମବାସୀ।
ମାଲକାନଗିରି ଜିଲ୍ଲାରେ ବସୁଧା ଯୋଜନା ପ୍ରହସନ ପାଲଟିଛି । ବିଶେଷ କରି ଚିତ୍ରକୋଣ୍ଡା ବ୍ଲକସ୍ଥ କପାତୁଟି ପଞ୍ଚାୟତରେ ଏବେଠାରୁ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି । ତୁରନ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପାନୀୟ ଜଳ ବ୍ୟବସ୍ଥା କରାନଗଲେ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ କହିଛନ୍ତି। ପାଣି ଦିଅ ଭୋଟ ନିଅ, ଏହିଭଳି ଚେତାବନୀ ଦେଇଛନ୍ତି ଅଞ୍ଚଳ ବାସିନ୍ଦା । ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କପାତୁଟି ପଞ୍ଚାୟତର ୨ଟି ଗାଁରେ ୭୦ରୁ ଊର୍ଦ୍ଧ୍ବ ପରିବାର ରୁହନ୍ତି । ଏମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ଲାଗି ଗତ ୧୦ବର୍ଷ ପୂର୍ବରୁ ଗାଁରେ ନିର୍ମାଣ କରାଯାଇଥିଲା ୧କୂଅ । ସେହି କୂପ ଦୀର୍ଘ ବର୍ଷ ହେବ ସଂପୂର୍ଣ୍ଣ ଅଚଳ ଅବସ୍ଥାରେ ରହିଥିବାବେଳେ, ୨ ବର୍ଷ ପୂର୍ବରୁ ଦୁଇଟି ଗାଁ ଅରଗେଲ ଓ ମସ୍ତିପୁଟରେ ସୌର ଚାଳିତ ପାଣି ଟାଙ୍କି ନିର୍ମାଣ କରଯାଇଥିଲା । ଗାଁରେ ସୌର ଚାଳିତ ପାଣି ଟାଙ୍କି ଗୋଟିଏ ଦିନ ଚାଲିବା ପରଠାରୁ ଆଜି ପର୍ଯ୍ୟନ୍ତ ପାଣି ଟୋପାଏ ପାଇ ନାହାନ୍ତି ଗାଁ ବସିନ୍ଦା । ଆଜି ପର୍ଯ୍ୟନ୍ତ ଲୋକେ ସେହି ଚୁଆ ଓ ନାଳ ପାଣିକୁ ବ୍ୟବହାର କରୁଥିବା କହନ୍ତି ।
ସେହି ପାଣିରେ ଲୁଗା ସଫା କରିବା ସହ ସେହି ପାଣିକୁ ରୋଷେଇ ପାଇଁ ବ୍ୟବହାର କରିବାକୁ ପଡୁଛି । ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଅଧିକାରୀଙ୍କୁ ଅଭିଯୋଗ ପରେ ବି ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇପାରି ନାହିଁ । ଶେଷରେ ବାଧ୍ୟ ହୋଇ ଗାଁ ଲୋକେ ଦୂଷିତ ପାଣିକୁ ବ୍ୟବହାର କରୁଛନ୍ତି । ହାଣ୍ଡିଏ ପାଣି ପାଇଁ ଗାଁ ମୁଣ୍ଡ ଜଙ୍ଗଲ ନିକଟକୁ ଯିବାକୁ ପଡୁଛି ମହିଳାଙ୍କୁ । ୧୨ମାସ ଏହି ଦୂଷିତ ପାଣିକୁ ପିଇବା ପାଣି ରୂପେ ବ୍ୟବହାର କରୁଛନ୍ତି ଗାଁ ଲୋକେ । ପିଲାଠାରୁ ବୁଢା ସମସ୍ତେ ଲାଗିପଡିଛନ୍ତି ଜଙ୍ଗଲି ରାସ୍ତାରେ ପାଣି ବୋହିବାରେ । ୭୦ରୁ ଊର୍ଦ୍ଧ୍ବ ପରିବାର ଗୋଟିଏ ସ୍ଥାନରୁ ପାଣି ସଂଗ୍ରହ କରୁଥିବାରୁ ସେଠାରେ ବେଳେ ବେଳେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଉଛି । କେବଳ ସେତିକି ନୁହେ, ପାଣି ଭର୍ତି ହାଣ୍ଡି ମୁଣ୍ଡରେ ବୋହି ବହୁ କଷ୍ଟରେ ଚଢିବାକୁ ପଡୁଛି ରାସ୍ତା ଉପରକୁ । ପାଣି ଆ ଣୁଥିବା ଥିବା ସ୍ଥାନ ବି ପୁରାପୂରି ଅପରିଷ୍କାର । ୨ ଗୋଟି ଗାଁର ଜଳ ସମସ୍ୟାର ସମାଧାନ ପାଇଁ ବସୁଧା ଯୋଜନାରେ ମସ୍ତିପୁଟ ଗାଁରେ ପାଣିଟାଙ୍କି ନିର୍ମାଣ କରାଯାଇଛି ସତ । ହେଲେ ପମ୍ପ ଗୃହରେ ଆଜି ପର୍ଯ୍ୟନ୍ତ ତାଲା ପଡିରହିଛି । ଗୋଟିଏ ନଳକୂପ ୪୦ ପରିବାର ପାଇଁ ପାଣି ଯୋଗେଇ ପାରୁନାହିଁ । ସକାଳ ୬ ଟାରୁ ଆରମ୍ଭ କରି ରାତି ୮ ପର୍ଯ୍ୟନ୍ତ ଲୋକେ ନଳକୂପରୁ ପାଣି ସଂଗ୍ରହ କରୁଛନ୍ତି । ଦୂଷିତ ଚୁଆ ପାଣି ଉପରେ ନିର୍ଭରଶୀଳ ହେଇ ପଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା । ଅଂଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଚେଷ୍ଟା ପରେ ଚେଷ୍ଟା ଜାରି ରହିଛି ସତ, କିନ୍ତୁ କାର୍ଯ୍ୟର ତଦାରଖ ଠିକ ରୂପେ ହୋଇପାରି ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ । ବାରମ୍ବାର ଅଭିଯୋଗ ପରେ ବି କେହି ମଧ୍ୟ କର୍ଣ୍ଣପାତ କରିନଥିବାରୁ ବିତୃଷ୍ଣା ଭାବ ଆସିଯାଇଛି ଗାଁ ବାସୀଙ୍କ ମନରେ । ଆଗାମୀ ଦିନରେ ଯଦି ପାଣି ସମସ୍ୟାର ସମାଧାନ ନ କରାଯାଏ, ଭୋଟ ବର୍ଜନ କରି ଉଚିତ ଜବାବ ଦେବେ ବୋଲି କଡା ଚେତାବନି ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।