ଭୁବନେଶ୍ୱର– ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବୁଧବାର ସେ ପ୍ରଦୀପଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ସମର୍ଥନ ଯୋଗାଡ଼ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ମନମୋହନ ଭେଟିଥିବା ଆଲୋଚନା ହେଉଛି ।
ଭେଟ୍ ଘାଟ ନେଇ ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ମୁଁ ବିଧାୟକ ଅଛି । ମୋ ନିର୍ବାଚନମଣ୍ଡଳୀର ମୋ ପଂଚାୟତରେ ମୋ ଅନୁପସ୍ଥିତିରେ ମୁଖ୍ୟମନ୍ତ୍ରୀ ସଭା କରୁଛନ୍ତି । ଆଉ ଏପାଖରେ ମୋ ଭେଟ୍ ଘାଟକୁ ନେଇ ଆପଣ ଯାହା ବୁଝି ପାରୁଥିବେ? ସମୟ ଆସିଲେ ସବୁ ସ୍ପଷ୍ଟ ହୋଇଯିବ । ଦଶବାର ଦିନରେ ସବୁକିଛି କ୍ଲିୟର ହୋଇଯିବ ବୋଲି ପ୍ରଦୀପ କହିଛନ୍ତି ।
ବିଜେଡି ଓ ବିଜେପି ମେଂଟ ନେଇ ବିରୋଧୀଙ୍କ ଆରୋପ ନେଇ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଆତ୍ମସମର୍ପଣ କରିଥିବା ଦଳର କୌଣସି ମୂଲ୍ୟ ନାହିଁ । ବିଜେଡି ୨୦୧୪ଠାରୁ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଛି । ସେମାନେ କେନ୍ଦ୍ରର ନିର୍ଦ୍ଦେଶକୁ କେବଳ ପାଳନ କରୁଛନ୍ତି । ବିଜେଡିରେ ବର୍ତମାନ କିଛି ନାହିଁ । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଏଥର ରାଜ୍ୟରେ ପରିବର୍ତନ କରିବା । ଥରେ ଗେରୁଆକୁ ସୁଯୋଗ ଦେବା । ପୂର୍ବରୁ ଧଳା, ସବୁଜ ଦେଖିଛେ, ଆଗକୁ ଗେରୁଆ ଦେଖିବା ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।