କେନ୍ଦୁଝର,– ଲୁଟ୍ ଘଟଣାରେ ପାଟଣା ପୋଲିସ ୭ ଆନ୍ତଃ ରାଜ୍ୟ ଲୁଟେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗତ ୨୦ ତାରିଖରେ ପାଟଣା ବଜାରରୁ ଧାନବେଣି ଗ୍ରାମର ହେମାନନ୍ଦ ମହାନ୍ତ ସୁନା ଗହଣା କିଣି ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଚଳନ୍ତା ବାଇକ୍ ରୁ ସୁନା ବ୍ୟାଗ୍ କୁ ଝାମ୍ପି ନେଇ ଦୁର୍ବୁତ ଫେରାର୍ ହୋଇଯାଇଥିଲେ । ଏନେଇ ପାଟଣା ଥାନାରେ ଧାନବେଣି ଗ୍ରାମର ହେମାନନ୍ଦ ମହାନ୍ତ ଅଭିଯୋଗ କରିବା ପରେ ପୋଲିସ ଲୁଟେରାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନ୍ ଭିନ୍ ଜାରି ରଖି ଗଞ୍ଜାମ ସମେତ ଆନ୍ଧ୍ରପ୍ରଦେଶ ଅଂଚଳରେ ଚଢ଼ଉ କରି ୭ ଆନ୍ତଃ ରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଡୁକୁଣିସାହାପୁର ଗ୍ରାମର ଏ. ସିନୁ, ସୋରଡା ଥାନା ଅଂଚଳର କ୍ରିଷ୍ଣା ଦାସ, ଆଡେଲ ଏସୁ, ଭଞ୍ଜନଗର ଥାନା ଜାମପେଲି ଗ୍ରାମର ବିଜୟ ଦାଶ, ଆସ୍କା ଥାନା ଢୁଙ୍କୁଣି ଗ୍ରାମର ଏ. ଅବାବ, ଆନ୍ଧ୍ରପ୍ରଦେଶ ରାଜ୍ୟ ବିଶାଖାପାଟଣା ଥାନା ନରସିଙ୍ଗପାଟଣାର ଏ. ମାଲିଙ୍ଗା ଏବଂ ଯାଜପୁର ଜିଲ୍ଲା ମୁଣ୍ଡମାଳର ଏ.ଶେଖର । ଏମାନଙ୍କ ଠାରୁ ନଗଦ ୫୪ ହଜାର ଟଙ୍କା, ଦୁଇ ଭରି ଓଜନର ସୁନା ଗହଣା ସହ ଦୁଇ ବାଇକ୍ ଓ ୫ ମୋବାଇଲ ଫୋନ୍ ଜବତ କରି ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟଚାଲାଣ କରିଥିବା ଘଟଗାଁ ଏସଡିପିଓ ସୁଦର୍ଶନ ଗାଙ୍ଗଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।