ଧର୍ମଶାଳା, ନଦୀ ପାଣି ଭିତରୁ କଳା ରଂଗର ବାଇକ୍ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ଥାନା ଦେଓଦା ପଂଚାୟତ ଅନ୍ତର୍ଗତ ମାଝିପାଟଣା-ସ୍ଵାଇଁସାହି ଗ୍ରାମ ମଧ୍ୟସ୍ଥଳ ବ୍ରାହ୍ମଣୀର ଶାଖା କେଲୁଅ ନଦୀରେ । ଏହା ଏକ ଟିଭିଏସ୍ କମ୍ପାନୀ ଆପାଚି (ଓଆର୦୫ଏଲ ୧୪୩୩) କଳା ରଂଗର ବୋଲି ଜଣାପଡିଛି ।
ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ ମାଝିପାଟଣା ଗ୍ରାମର ତପନ ତରାଇ ତାଙ୍କର ଅନ୍ୟ ୪ ଜଣ ସାଂଗଙ୍କ ସହ ଗାଁ ନିକଟସ୍ଥ କେଲୁଅ ନଦୀରୁ ମାଛ ଧରିବା ପାଇଁ ଯାଇଥିଲେ । ନଦୀରେ ଜାଲ ପକାଇବା କିଛି ସମୟ ପରେ ଜାଲ ଲାଖି ଯାଇଥିଲା । ଫଳରେ ତପନ ଓ ତାର ସାଂଗମାନେ ପାଣି ଭିତରକୁ ଯାଇ ଏକ ଗାଡି ଲାଗି ଥିବା ଜାଣିବାକୁ ପାଇଥିଲେ । ଏହାକୁ ନେଇ ସେମାନେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ପାଣି ଭିତରୁ ବାଇକଟିକୁ ବାହାର କରିଥିଲେ । ଏକ କଳା ରଂଗର ଟିଭିଏସ୍ ଆପାଚି ଗାଡି ବୋଲି ଜଣାପଡିଥିଲା । ତେବେ ଗାଡିର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଥିବା ବେଳେ ବାଇକ ପାଣି ଭିତରକୁ କାହିଁକି ଆସିଲା ତାହାକୁ ନେଇ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ନେଇ ଗ୍ରାମବାସୀ ଧର୍ମଶାଳା ପୋଲିସକୁ ଖବର ଦେଇଥିବା ଜଣାପଡିଛି ।