ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି ଯେ, କୌଣସି ରାଷ୍ଟ୍ରକୁ ଦିଗ ଦେବା ପାଇଁ ବିଶ୍ୱବିଦ୍ୟାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ତାମିଲନାଡୁର ତିରୁଚିରାପଲ୍ଲି ସ୍ଥିତ ଭାରତୀଦାସନ ବିଶ୍ୱବିଦ୍ୟାଳୟର 38ତମ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇ ପିଏମ କହିଛନ୍ତି ଯେ, ଦୀକ୍ଷାନ୍ତ ସମାରୋହରେ ଏଠାକୁ ଆସିବା ମୋ ପାଇଁ ସ୍ୱତନ୍ତ୍ର ଅଟେ । ଏହା 2024ରେ ମୋର ପ୍ରଥମ ସାର୍ବଜନୀନ କଥାବାର୍ତ୍ତା ଅଟେ । ମୁଁ ତାମିଲନାଡୁ ପରି ସୁନ୍ଦର ରାଜ୍ୟ ଓ ଯୁବକଙ୍କ ମଧ୍ୟରେ ବେଶ୍ ଖୁସି ଅନୁଭବ କରୁଛି । ଏଠାରେ ଦୀକ୍ଷାନ୍ତ ସମାରୋହରେ ସାମିଲ ହେଇଥିବା ମୁଁ ପ୍ରଥମ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛି । ଆଜି ସ୍ନାତକ ଡିଗ୍ରୀ ହାସଲ କରିଥିବା ସମସ୍ତ ଛାତ୍ର ଓ ଅଭିଭାବକଙ୍କୁ ଶୁଭେଚ୍ଛା ଜଣାଉଛି ।
ସେ କହିଛନ୍ତି ଯେ, ଆମର ଦେଶ ଓ ସଭ୍ୟତା ସବୁବେଳେ ଜ୍ଞାନର କେନ୍ଦ୍ରବିନ୍ଦୁ ଅଟେ । ନାଳନ୍ଦା ଓ ତକ୍ଷଶିଳା ପରି କିଛି ପ୍ରାଚୀନ ବିଶ୍ୱବିଦ୍ୟାଳୟ ପ୍ରସିଦ୍ଧ ଅଟେ । ସେହିପରି କାଞ୍ଚିପୁରମ ପରି ସ୍ଥାନରେ ବି ମହାନ ବିଶ୍ୱବିଦ୍ୟାଳୟ ହେବା ଉଲ୍ଲେଖନୀୟ ଅଟେ । ଗଙ୍ଗଇକୋଣ୍ଡା ଚୋଳପୁରମ ଓ ମଦୁରାଇ ମଧ୍ୟ ଶିକ୍ଷାର ମହାନ କେନ୍ଦ୍ର ଥିଲା ।