-
ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରୀଗଡ଼ , ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଭୂମି ଖିଣ୍ଡା – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀଭୁବନେଶ୍ୱର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ ଜିଲ୍ଲାରେ ଅବସ୍ଥିତ ଦେବ୍ରୀଗଡ଼ ଅଭୟାରଣ୍ୟ ସମେତ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କୁ ପତ୍ର ଲେଖିବା ପରେ ଏହି ଦୁଇଟି ସ୍ଥାନକୁ ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନା ୨.୦ରେ ସାମିଲ କରାଯାଇଛି ।
ଓଡ଼ିଶାର ଦେବ୍ରୀଗଡ଼ ସମେତ ଖିଣ୍ଡା ଗ୍ରାମକୁ ବିଶେଷ ଆକର୍ଷଣୀୟ ସ୍ଥାନ ଭାବେ ସ୍ୱଦେଶ ଦର୍ଶନ ୨.୦ରେ ସାମିଲ କରାଯାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ପତ୍ର ପ୍ରକାଶ ପାଇଛି । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭାଗୀୟ ମନ୍ତ୍ରୀ ଜି କିଷନ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଡ଼ିସେମ୍ବର ୧୧, ୨୦୨୩ ତାରିଖରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଏ ସମ୍ପର୍କରେ ପତ୍ର ଲେଖି ଦେବ୍ରୀଗଡ଼ ଓ ଖିଣ୍ଡା ଗ୍ରାମରେ ପର୍ଯ୍ୟଟନ ଭିତିଭୂମି ଏବଂ ସୁବିଧାର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ମଞ୍ଜୁର କରିବା ପାଇଁ ଅନୁରୋଧ କରିଥିଲେ । ସେ ପତ୍ରରେ ଦର୍ଶାଇଥିଲେ ଯେ ବରଗଡ଼ ଜିଲ୍ଲାରେ ଅବସ୍ଥିତ ଦେବ୍ରୀଗଡ଼ ଅଭୟାରଣ୍ୟ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ସେହିପରି ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଖିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ସ୍ୱଦେଶ ଦର୍ଶନ ଯୋଜନାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ସମଗ୍ର ଭାରତବର୍ଷରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ପର୍ଯ୍ୟଟକଙ୍କ ସଂଖ୍ୟା ବଢାଇବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି । ଉକ୍ତ ଦୁଇଟି ଐତିହାସିକ ସ୍ଥାନ ଅପାର ସମ୍ଭାବନାର ଅଂଚଳ । ଏହାର ପାଓର୍୍ୱ୍ୱବର୍ତୀ ଅଂଚଳ ଗୁଡିକରେ ହୀରାକୁଦ, ହୁମା ମନ୍ଦିର ଭଳି ପର୍ଯ୍ୟଟନ ସ୍ଥଳୀ ଥିବା ବେଳେ ସମ୍ବଲପୁର ଜିଲ୍ଲା ଦେଶ ଏବଂ ଦେଶ ବାହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଯଥାର୍ଥ ସମ୍ଭାବନା ରଖୁଛି ।
ସେହିପରି ଖିଣ୍ଡା ହେଉଛି ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ । ୧୮୫୭ ମସିହା ବ୍ରିଟିଶ ବିରୋଧୀ ଲଢେଇରେ ସୁରେନ୍ଦ୍ର ସାଏ ନେତୃତ୍ୱ ନେଇଥିଲେ ଏବଂ ୪୦ ବର୍ଷ ଧରି ଅଧିକ ସମୟ ଜେଲରେ ବନ୍ଦୀ ହୋଇ ରହିଥିଲେ । ତାଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ଝାରସୁଗୁଡା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ନାମିତ କରି ଏହି ମହାନ ସଂଗ୍ରାମୀଙ୍କୁ ସମ୍ମାନ ଦେଇଛନ୍ତି । ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସେ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଏହି ଗ୍ରାମର ବିକାଶ ହେଲେ ତାଙ୍କ ଜନ୍ମସ୍ଥାନକୁ ଆସି ଲୋକମାନେ ଏହି ବୀର ସଂଗ୍ରାମୀଙ୍କ ଜୀବନୀ ଓ ସଂଘର୍ଷର କାହାଣୀ ଜାଣିପାରିବେ ।
କେନ୍ଦ୍ରମନ୍ତ୍ରୀ ଏହି ଅଂଚଳର ଐତିହାସିକ ପୃଷ୍ଠଭୂମି ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ବିଷୟରେ ପତ୍ର ଯୋଗେ ଅବଗତ କରାଇବା ସହ ଏହି ଦୁଇଟି ସ୍ଥାନ ଗୁଡିକର ବିକାଶ ସହ ପ୍ରଚାର ପ୍ରସାର ହେଲେ ସ୍ଥାନୀୟ ଅର୍ଥନୀତି ମଜଭୂତ୍ ହୋଇପାରିବ ବୋଲି କହିଥିଲେ । ରୋଜଗାର ସୃଷ୍ଟି ହେବା ସହ ସ୍ଥାନୀୟ ଅଂଚଳର ସଂସ୍କୃତି ଓ ଐତିହ୍ୟର ପ୍ରସାର ହୋଇପାରିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ ।
ଉଲ୍ଲେଖନୀୟ ଯେ, ଗତବର୍ଷ ଅକ୍ଟୋବର ୨୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଖିଣ୍ଡା ଗସ୍ତରେ ଥିବା ବେଳେ ଏହି ଗ୍ରାମର ସୌନ୍ଦର୍ଯ୍ୟକରଣ ସହ ଏହାକୁ ଏକ ଦର୍ଶନୀୟ କେନ୍ଦ୍ରରେ ପରିଣତ କରିବା ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ ।