ଭୁବନେଶ୍ୱର, ଭାରତ ବିକାଶ ପରିଷଦ, ସମାଜର ପ୍ରବୃଦ୍ଧ ଓ ସମ୍ପନ୍ନ ବୁଦ୍ଧିଜୀବୀ ମାନଙ୍କର ଏକ ଅଣରାଜନୈତିକ, ସଂସ୍କାରଯୁକ୍ତ ପାରିବାରିକ ସଂଗଠନ । ୧୬ ଜିଲ୍ଲାକୁ ନେଇ ଗଠିତ ଓଡ଼ିଶା ପୂର୍ବପ୍ରାନ୍ତର ୨ଟି ନୂତନ ଶାଖା ରାଜଧାନୀ ଓ କଳିଙ୍ଗର ଶୁଭ ଉଦ୍ଘାଟନ ଭୁବନେଶ୍ୱରସ୍ଥ ରେଡ଼କ୍ରସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇଟି ନୂତନ ଶାଖାକୁ ଭାରତ ବିକାଶ ପରିଷଦର ପୂର୍ବକ୍ଷେତ୍ର ମହାସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଓ ସଂଯୁକ୍ତ ମହାସଚିବ ଶୁଭାଶିଷ କର ଚାର୍ଟର ପ୍ରଦାନ କରି ଶୁଭ ଉଦ୍ଘାଟନ କରିଛନ୍ତି । ଶାଖାଦ୍ୱୟର ସମ୍ମାନନୀୟ ଅଧ୍ୟକ୍ଷ, ସଚିବ ଓ କୋଷାଧ୍ୟକ୍ଷଙ୍କୁ ପ୍ରାନ୍ତୀୟ ଅର୍ଥ ସଚିବ ପ୍ରମୋଦ କୁମାର ଦାସ ଶପଥ ପାଠ କରାଇ ନୂତନ ଦାୟିତ୍ୱ ପ୍ରଦାନ କରିଥିଲେ । ପ୍ରାନ୍ତୀୟ ଅଧ୍ୟକ୍ଷ ସତ୍ୟବାଦୀ ଦାସ ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ପ୍ରାନ୍ତୀୟ ପୃଷ୍ଠପୋଷକ ଶ୍ରୀଯୁକ୍ତ ଦେବେନ୍ଦ୍ରନାଥ ଦାସ ଏବଂ ସଚିଦାନନ୍ଦ ପଣ୍ଡା ଯୋଗଦେଇ ମାର୍ଗଦର୍ଶନ କରିଥିଲେ । କଳିଙ୍ଗ ଶାଖା, ଭୁବନେଶ୍ୱରର ଅଧ୍ୟକ୍ଷ ଭାବରେ କାର୍ତ୍ତିକ ଚନ୍ଦ୍ର ପୃଷ୍ଟି, ସଚିବ ଭାବରେ ରମାକାନ୍ତ ପଟ୍ଟନାୟକ, ଅର୍ଥ ସଚିବ ଭାବରେ ପ୍ରଦୀପ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ରାଜଧାନୀ ଶାଖା, ଭୁବନେଶ୍ୱରର ଅଧ୍ୟକ୍ଷା ଭାବରେ ଆରତୀ ମିଶ୍ର, ସଚିବ ଭାବରେ ଅଜୟ ପ୍ରହରାଜ, ଅର୍ଥ ସଚିବ ଭାବରେ ଉପେନ୍ଦ୍ର ମିଶ୍ର, ଉପସଭାପତି ଭାବରେ ଶରତ ଚନ୍ଦ୍ର ଦାସଙ୍କୁ ଦାୟିତ୍ୱ ମିଳିଛି । କବି ସତ୍ୟାନାଶ ଉତ୍ସବ ଶେଷରେ କବିତା ପାଠ କରିବା ସହ କବି ଶଙ୍କର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଶାଖାଦ୍ୱୟ ସମାଜର ସମ୍ପନ୍ନବର୍ଗର ବ୍ୟକ୍ତିବିଶେଷଙ୍କୁ ସଙ୍କଳନ କରି ଗରିବ ପଛୁଆବର୍ଗର ଅବହେଳିତ ବ୍ୟକ୍ତିଙ୍କ ସେବାରେ ନିୟୋଜିତ ରହିବେ । ସମାଜରେ ୬୦ ପ୍ରତିଶତରୁ ଅଧିକ ମହିଳା ରକ୍ତହୀନତା ଓ କୁପୋଷଣର ଶିକାର ହେଉଛନ୍ତି । ସେଥିରୁ ମୁକ୍ତି ଦେବା ଏହି ଦୁଇ ଶାଖାର ମୁଖ୍ୟ ଲକ୍ଷ୍ୟ ଭାବରେ ଗ୍ରହଣ କରିଛନ୍ତି । ସ୍ୱାସ୍ଥ୍ୟକ୍ଷେତ୍ରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ଅସହାୟଙ୍କୁ ସହାୟତା ପ୍ରଦାନ କରିବା ପାଇଁ ରାଜଧାନୀ ଓ କଳିଙ୍ଗ ଶାଖା ସଂକଳ୍ପ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କ୍ଷେତ୍ରୀୟ ଯୁଗ୍ମ ମହାସଚିବ ଶୁଭାଶିଷ କର, ମହାନଗର ସଂଯୋଜକ ଜଗତମୋହନ ପଟ୍ଟନାୟକ,ପ୍ରାନ୍ତ ଉପସଭାପତି ପୌର୍ଣ୍ଣମାସୀ ଦାଶ, ମହିଳା ଓ ବାଳ ସଂସ୍କାରର କ୍ଷତ୍ରିୟ ସଚିବ ସୁପ୍ରିତ ରଥ ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଶ୍ରୀମତୀ ଗୀତା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ମାର୍ଗଦର୍ଶନ ଦେଇଥିଲେ । ମୃତ୍ୟୁଞ୍ଜୟ ମହାନ୍ତି, ନୀଳମଣି କର ପ୍ରମୁଖଙ୍କ ସହ ବିଭିନ୍ନ ଶାଖାରୁ ବହୁ ସଂଖ୍ୟାରେ ସଭ୍ୟମାନେ ଉତ୍ସବରେ ଯୋଗ ଦେଇଥିଲେ । ସଂଗଠନ ସଚିବ ସୌମେନ୍ଦ୍ର ଦାସଙ୍କ ସଂଯୋଜନାରେ ସର୍ବଶ୍ରୀ ନିହାର ରଞ୍ଜନ ସ୍ୱାଇଁ, ରାକେଶ ବାରିକ, ରାମଚନ୍ଦ୍ର ଦଳେଇ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସୁନିଲ, ସୁଶ୍ରୀ ତପସ୍ୱିନୀ ଦାଶ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଅତ୍ୟନ୍ତ ସୁନ୍ଦର ଭାବେ ସମ୍ପନ୍ନ ହୋଇଥିଲା ।