
ଜୟପୁର, ବିଭିନ୍ନ ଦଫା ଦାବି ନେଇ ଓଡିଶା ଅଗ୍ନିଶମ ସେବା କର୍ମଚାରୀ କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟନିର୍ବାହ କରୁଥିବା ବେଳେ ଜୟପୁର ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ମଧ୍ୟ କଳାବ୍ୟାଜ ପରିଧାନ କରି ୨୧ ଦିନ ହେବ କାର୍ଯ୍ୟରତ ଅଛନ୍ତି ।
କର୍ମଚାରୀମାନେ ଦାବି କରିଛନ୍ତି ଯେ, ପୋଲିସ ବିଭାଗର ହାବିଲଦାର, କନେଷ୍ଟବଳଙ୍କ ପରି ସମାନ ପରୀକ୍ଷା ଦେଇ ଆଗ୍ନିକ ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ସେମାନଙ୍କ ଦରମାରେ ତାରତମ୍ୟ ରହିଛି । ୨୦୧୦ରୁ ଓଡିଶା ପୋଲିସ୍ କନଷ୍ଟେବଳ ଓ ହାବିଲଦାର ପାଉଥିବା ଦରମା ସହ ମୁଖ୍ୟ ଆଗ୍ନିକ, ଆଗ୍ନିକଙ୍କ ବେତନ ସମାନ ଥିଲା । ଏହା ପରଠାରୁ ଦରମାରେ ଅସଙ୍ଗତି ହେବା ଆରମ୍ଭ ହୋଇଯାଇଥିଲା । ଏନେଇ ବାରମ୍ବାର ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୈାଣସି ସୁଫଳ ମିଳି ନଥିଲା । ସେହିପରି ମୁଖ୍ୟଆଗ୍ନିକ ଓ ଆଗ୍ନିକ ସଂଘ ୧୯୮୦ରୁ ଗଠିତ ହୋଇ ସେମାନଙ୍କ ଦାବି ଉପସ୍ଥାପନ କରିଆସୁଥିଲେ ମଧ୍ୟ ୨୦୧୪ ମସିହା ପରଠାରୁ ସଂଘକୁ ଅକାମୀ କରିଦିଆଯାଇଛି । ଫଳରେ କର୍ମଚାରୀମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରିପାରୁନାହାଁନ୍ତି । ଓଡିଶା ପୋଲିସ୍ କର୍ମଚାରୀଙ୍କ ଭଳି ସମାନ ଦରମା ଓ ସଂଘକୁ କାର୍ଯ୍ୟକ୍ଷମ କରିବା ଦାବିରେ ୨୦୧୮ ମସିହାରେ ଅଗ୍ନିଶମକର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । କର୍ମଚାରୀମାନଙ୍କ ଦାବି ଖୁବଶୀଘ୍ର ପୂରଣ ହେବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଜୟପୁର ଅଗ୍ନିଶମ କେନ୍ଦ୍ର ସମ୍ମୁଖରେ କଳାବ୍ୟାଜ ପିନ୍ଧି ଆନ୍ଦୋଳନ କରୁଥିବା କର୍ମଚାରୀ ମାନେ ଗଣମାଧ୍ୟମକୁ କହିଛନ୍ତି ।