ନୂଆଦିଲ୍ଲୀ, 108 ତମ ଅଧ୍ୟାୟର ମନ୍ କୀ ବାତରେ 2023ର ବିଶେଷ ଉପଲବ୍ଧି ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାସିକ ରେଡିଓ କାର୍ଯ୍ୟକ୍ରମରେ ପିଏମ ମୋଦି କହିଛନ୍ତି ଯେ, ଚଳିତ ବର୍ଷ ଆମ ଦେଶ ଅନେକ ବିଶେଷ ଉପଲବ୍ଧି ହାସଲ କରିଛି । ଏହା ହେଉଛି ୧୪୦ କୋଟି ଭାରତୀୟଙ୍କ ଶକ୍ତି । ଅନେକ ବର୍ଷର ପ୍ରତୀକ୍ଷା ପରେ ଏ ବର୍ଷ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହୋଇଛି । ଭାରତ ପଞ୍ଚମ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରିଥିବାରୁ ଅନେକ ଲୋକ ନିଜ ପତ୍ର ମାଧ୍ୟମରେ ଖୁସି ପ୍ରକାଶ କରିଛନ୍ତି । ଅନେକ ଲୋକ ମୋତେ ଜି-୨୦ ସମ୍ମିଳନୀର ସଫଳତା କଥା ମନେପକାଇଛନ୍ତି । ବନ୍ଧୁଗଣ, ଆଜି ଭାରତର କୋଣ ଅନୁକୋଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ, ବିକଶିତ ଭାରତର ଭାବନାରେ ଏବଂ ଆତ୍ମନିର୍ଭରତାର ଭାବନାରେ ଭରପୂର । ୨୦୨୪ରେ ମଧ୍ୟ ଏହି ଭାବନା ଓ ଗତିଶୀଳତାକୁ ଆମକୁ ବଜାୟ ରଖିବାକୁ ହେବ । ଦିପାବଳୀରେ ହୋଇଥିବା ରେକର୍ଡ଼ ବ୍ୟବସାୟ ଏହା ପ୍ରମାଣିତ କରିଦେଇଛି ଯେ, ପ୍ରତ୍ୟେକ ଭାରତୀୟ ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ରକୁ ଗୁରୁତ୍ୱ ଦେଉଛନ୍ତି । ଏବେ ମଧ୍ୟ ବହୁତ ଲୋକ ମୋତେ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ବାର୍ତ୍ତାମାନ ପଠାଉଛନ୍ତି । ମୋ ଭଳି ଆପଣମାନେ ମଧ୍ୟ ଆମ ବୈଜ୍ଞାନିକ, ବିଶେଷକରି ମହିଳା ବୈଜ୍ଞାନିକମାନଙ୍କୁ ନେଇ ଗର୍ବ ଅନୁଭବ କରୁଥିବେ ବୋଲି ମୋର ବିଶ୍ୱାସ ।
ଯେତେବେଳେ ନାଟୁ-ନାଟୁକୁ ଓସ୍କାର ପୁରସ୍କାର ମିଳିଲା, ସେତେବେଳେ ସାରା ଦେଶ ଖୁସିରେ ନାଚିଉଠିଥିଲା । “ଦି ଏଲିଫେଣ୍ଟ ହୁଇସ୍ପରର୍ସ” ସମ୍ମାନିତ ହେବାକଥା ଶୁଣି କିଏ ବା ଖୁସି ନ ହେଲା? ଏହା ମାଧ୍ୟମରେ ସାରା ବିଶ୍ୱ ଭାରତର ସୃଜନଶୀଳତାକୁ ଦେଖିଲା ଏବଂ ପରିବେଶ ସହ ଆମ ସମ୍ପର୍କ ବିଷୟରେ ବୁଝିଲା । ଏ ବର୍ଷ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଆମ କ୍ରୀଡ଼ାବିତ୍ମାନେ ଉତ୍ତମ ପ୍ରଦର୍ଶନ କଲେ । ଏସିଆନ୍ ଗେମ୍ସରେ ଆମ ଖେଳାଳୀମାନେ ୧୦୭ ଏବଂ ଏସିଆନ୍ ପାରା-ଗେମ୍ସରେ ୧୧୧ ପଦକ ଜିତିଲେ । କ୍ରିକେଟ୍ ବିଶ୍ୱକପରେ ଭାରତୀୟ ଖେଳାଳୀମାନେ ସେମାନଙ୍କ ପ୍ରଦର୍ଶନ ଦ୍ୱାରା ସଭିଙ୍କ ହୃଦୟ ଜିଣିନେଲେ । ଅଣ୍ଡର୍ ୧୯ ଟି-୨୦ ବିଶ୍ୱକପ୍ରେ ଆମ ମହିଳା କ୍ରିକେଟ୍ ଦଳର ବିଜୟ ଅତ୍ୟନ୍ତ ପ୍ରେରଣାଦାୟକ । ଅନେକ ଖେଳରେ ଖେଳାଳୀମାନଙ୍କ ଉପଲବ୍ଧି ଦେଶକୁ ଗୌରବାନ୍ୱିତ କଲା । ୨୦୨୪ରେ ପ୍ୟାରିସରେ ଲମ୍ପିକ ଖେଳର ଆୟୋଜନ ହେବାକୁ ଯାଉଛି, ଯେଉଁଥିପାଇଁ ସାରା ଦେଶ ଆମ ଖେଳାଳୀମାନଙ୍କ ଉତ୍ସାହ ବର୍ଦ୍ଧନ କରୁଛି ।
ଆମେ ଯେତେବେଳେ ବି ଏକାଠି ମିଶି ଚେଷ୍ଟା କଲୁ, ତାହା ଆମ ଦେଶର ବିକାଶ ଯାତ୍ରା ଉପରେ ବହୁତ ସକାରାତ୍ମକ ପ୍ରଭାବ ପକାଇଛି । ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ମେରି ମାଟି ମେରା ଦେଶ୍ ଭଳି ଅଭିଯାନର ସଫଳତାକୁ ଅନୁଭବ କଲୁ । ଏଥିରେ କୋଟି କୋଟି ଲୋକଙ୍କ ଅଂଶଗ୍ରହଣର ସାକ୍ଷୀ ହୋଇପାରିଲୁ । ୭୦ ହଜାର ଅମୃତ ସରୋବରର ନିର୍ମାଣ ମଧ୍ୟ ଆମର ସମ୍ମିଳିତ ଉପଲବ୍ଧି ଅଟେ ।
ବନ୍ଧୁଗଣ, ଯିଏ ଦେଶର ନବସୃଜନକୁ ଗୁରୁତ୍ୱ ଦିଏନି, ତାହାର ବିକାଶ ବାଧାପ୍ରାପ୍ତ ହୁଏ ବୋଲି ମୁଁ ବିଶ୍ୱାସ କରେ । ଭାରତ ଏକ ନବସୃଜନର ହବରେ ପରିଣତ ହେବା, ଏ କଥାର ପ୍ରମାଣ ଦିଏ ଯେ ଆମେ ଅଟକିବୁ ନାହିଁ । ୨୦୧୫ରେ ଆମେ ଗ୍ଲୋବାଲ୍ ଇନ୍ନୋଭେଶନ୍ ଇଣ୍ଡେକ୍ସରେ (ବିଶ୍ୱ ଅଭିନବତ୍ୱ ସୂଚକାଙ୍କରେ) ୮୧ତମ ସ୍ଥାନରେ ରହିଥଲୁ । ଆଜି ଏଥିରେ ଆମେ ୪୦ତମ ସ୍ଥାନରେ ରହିଛୁ । ଏ ବର୍ଷ ଭାରତରେ ପ୍ୟାଟେଣ୍ଟ ପାଇଁ କରାଯାଇଥିବା ଆବେଦନ ସଂଖ୍ୟା ଅଧିକ ଥିଲା, ଯେଉଁଥିରେ ପ୍ରାୟଃ ୬୦ ପ୍ରତିଶତ ଘରୋଇ ପାଣ୍ଠିରୁ ଥିଲା । କ୍ୟୁ.ଏସ. ଏସିଆ ବିଶ୍ୱବିଦ୍ୟାଳୟ ରାକିଂରେ ଏଥର ସବୁଠାରୁ ଅଧିକ ସଂଖ୍ୟାରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଯୋଗଦେଲେ । ଏହି ଉପଲବ୍ଧିଗୁଡ଼ିକର ତାଲିକା ପ୍ରସ୍ତୁତ କରିବାକୁ ଗଲେ ତାହା ଅସରନ୍ତି ହେବ । ଏହା ତ ଭାରତର ସାମର୍ଥ୍ୟର କେବଳ ଗୋଟିଏ ଝଲକ୍ । ଦେଶର ଏହି ସଫଳତାଗୁଡ଼ିକରୁ, ଦେଶର ଲୋକଙ୍କ ଏହି ଉପଲବ୍ଧିଗୁଡ଼ିକରୁ ଆମେ ପ୍ରେରଣା ଗ୍ରହଣ କରିବା, ଗର୍ବ କରିବା, ନୂତନ ସଂକଳ୍ପ ଗ୍ରହଣ କରିବା ।