ମାଲକାନଗିରି– ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଆରଏମସି ପରିସରରେ ଧିବା ଧାନ ମଣ୍ଡିକୁ ଧାନ ଆସୁନାହିଁ । ପ୍ରତି ବର୍ଷ ଏହି ମଣ୍ଡିରେ ଧାନ ରଖିବାକୁ ସ୍ଥାନ ମିଳି ନ ଥାଏ । ତେବେ ଚଳିତ ବର୍ଷ ମାଲକାନଗିରି ସଦର ମହକୁମାର ଏହି ଧାନ ମଣ୍ଡିରେ ୨୦୦୦ କ୍ଵିଣ୍ଟାଲ ଧାନ କିଣିବାକୁ ସ୍ଥିର ହୋଇଥିବା ବେଳେ ଏଠାରେ ଧାନ କିମ୍ବା ଚାଷୀଙ୍କ ଭିଡ ନାହିଁ । କାରଣ ଓଡିଶାରେ ଧାନର ସହାୟକ ମୂଲ୍ୟ ୨୧୮୩ ରୁ ୨୨୦୩ ଟଙ୍କା ହୋଇଥିବା ବେଳେ ପଡୋଶୀ ଛତିଶଗଡ଼ରେ ୩୧୦୦ ଟଙ୍କା ପ୍ରତି କ୍ଵିଣ୍ଟାଲ ଦରରେ ଧାନ କିଣୁଛନ୍ତି ସରକାର । ଆଉ ଛତିଶଗଡ଼ର ଦଲାଲମାନେ ଓଡିଶା ଚାଷୀଙ୍କ ଘରୁ ଆସି ୨୨୦୦ କିମ୍ବା ୨୩୦୦ ପ୍ରତି କ୍ଵିଣ୍ଟାଲ ନଗଦ ଦରରେ ଧାନ କିଣି ସେହିପରି ମଣ୍ଡି ବିଳମ୍ବରେ ଆରମ୍ଭ ହେଉଥିବାରୁ ଚାଷୀମାନେ ବିଲରୁ ହିଁ ଧାନ ବିକିବା ଆରମ୍ଭ କରନ୍ତି । ଗତବର୍ଷ ଡିସେମ୍ବର ୧୪ ତୁଳନାରେ ଚଳିତ ବର୍ଷ ଡିସେମ୍ବର ୨୦ରେ ମଣ୍ଡି ଆରମ୍ଭ ହୋଇଛି । ଏହାର ପୂର୍ବରୁ ଧାନ ବିକ୍ରି କରି ଦେଇଛନ୍ତି ଚାଷୀ । ମାଲକାନଗିରି ମଣ୍ଡିରେ ପ୍ରତିଦିନ ୨ ହଜାର କ୍ଵିଣ୍ଟାଲ ଧାନ କିଣିବା ଲାଗି ପ୍ରୋଗ୍ରାମ ରହିଥିବା ବେଳେ ପ୍ରଥମ ଦିନରେ ୭୧୯, ଦ୍ବିତୀୟ ଦିନରେ ୧୪୧୬, ତୃତୀୟ ଦିନରେ ୧୧୩୧ ଓ ବୁଧବାର ଚତୁର୍ଥ ଦିନରେ ପ୍ରାୟ ୧୪୦୦ କ୍ଵିଣ୍ଟାଲ ଧାନ କିଣା ହୋଇଛି । ଯାହା ଟାର୍ଗେଟ ଠାରୁ ୪୦ ପ୍ରତିଶତ କମ୍ ବୋଲି ଜଣାପଡିଛି ।
ସେହିପରି ସମଗ୍ର ଜିଲ୍ଲାରେ ଗତ ବର୍ଷ ୨୫ ତାରିଖ ସୁଦ୍ଧା ୨ ଲକ୍ଷ ୪୩ ହଜାର ୬୦୫ କ୍ଵିଣ୍ଟାଲ ଧାନ କ୍ରୟ ହୋଇଥିବା ବେଳେ ଚଳିତ ବର୍ଷ ୨୫ ତାରିଖ ସୁଧା ମାତ୍ର ୧ ଲକ୍ଷ ୧୧ ହଜାର କ୍ଵିଣ୍ଟାଲ ଧାନ କିଣା ହୋଇଛି । ଯାହା ୫୦ ପ୍ରତିଶତ ଠାରୁ ବି କମ ବୋଲି ଜଣାପଡିଛି। ଚଳିତ ବର୍ଷ ଟାର୍ଗେଟ ଅନୁଯାୟୀ ଧାନ କ୍ରୟ ହେବା ନେଇ ଏବେ ଠାରୁ ଆଶଙ୍କା ପ୍ରକାଶ ପାଇଲାଣି।