ଗଞ୍ଜାମ- ଛତ୍ରପୁର ନିର୍ବାଚନମଣ୍ଡଳିର ପୂର୍ବତନ ବିଧାୟକ ଦୈତାରୀ ବେହେରା ଚିକିତ୍ସା ଅବହେଳାରୁ ପ୍ରାଣ ହରାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
୮୫ ବର୍ଷିୟ ଦୈତାରୀ ଗତକାଲି ଗୁରୁତର ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରିଥିଲେ । ତେବେ ତାଙ୍କୁ ସେଠାରେ ତକ୍ରାଳ ଆଇସିୟୁ ସୁବିଧା ମିଳିନଥିଲା । ସାଧାରଣ ସାଧାରଣ ବେଡ୍ ରେ ରଖାଯିବା ଫଳରେ ବିଳମ୍ବିତ ରାତିରେ ଡ଼ାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି । ଏପରିକି ଜଣେ ପୂର୍ବତନ ବିଧାୟକଙ୍କୁ ଯଦି ଆବଶ୍ୟକ ଚିକିତ୍ସା ସୁବିଧା ମିଳିପାରୁନି ସାଧାରଣ ଲୋକଙ୍କୁ କିପରି ସେବା ମିଳୁଥିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ଜଣେ ପୂର୍ବତନ ବିଧାୟକଙ୍କୁ ମେଡ଼ିକାଲରେ ଆବଶ୍ୟକ ଚିକିତ୍ସା ସୁବିଧା ନମିଳିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ୱର୍ଗତ ବେହେରା ଦୁଇଥର ସରପଂଚ ଏବଂ ଦୁଇ ଥର ପଂଚାୟତ ସମିତି ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିଲେ । ସେହିପରି ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳିରୁ ସେ ଦୁଇ ଥର ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ୧୯୭୪ ରେ ଉକ୍ରଳ କଂଗ୍ରେସ ଏବଂ ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଜାତୀୟ କଂଗ୍ରେସ ଟିକେଟ୍ ରେ ସେ ବିଧାୟକ ହୋଇଥିଲେ । ଜଣେ ଲୋକପ୍ରିୟ ଜନ ପ୍ରତିନିଧି ସହ ଛତ୍ରପୁର ଅଂଚଳରେ ବିକାଶରେ ତାଙ୍କର ବିଶେଷ ଯୋଗଦାନ ରହିଥିଲା । ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲାବ୍ୟାପୀ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ମହଲରୁ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଛି ।