ଭୁବନେଶ୍ୱର-ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତୀୟ ଜାତୀୟ କଂଗ୍ରେସର ୧୩୯ତମ ପ୍ରତିଷ୍ଠା ଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ଦଳୀୟ ପତାକା ଉତୋଳନ କରି ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଏବଂ ସ୍ୱାଧୀନୋତର ଭାରତ ଗଠନରେ କଂଗ୍ରେସର ମହାନ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରୀ ହରିଚନ୍ଦନ ୧୯୨୦ ମସିହାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ଅସହଯୋଗ ଆନ୍ଦୋଳନ ଠାରୁ ଆରମ୍ଭ କରି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ଭାରତ ଯୋଡ଼ ଯାତ୍ରା ଏବଂ ଭାରତ ନ୍ୟାୟ ଯାତ୍ରା ବିଷୟରେ ଅବତାରଣା କରିଥିଲେ । ପରାଧୀନତାର ଅନ୍ଧକାରରେ ୧୮୮୫ ମସିହାରେ ମାତ୍ର ୭୨ ଜଣ ସଦସ୍ୟକୁ ନେଇ ଗୋକୁଳ ଦାସ ତେଜପାଲ ସଂସ୍କୃତ ପାଠଶାଳାରେ ଯେଉଁ କଂଗ୍ରେସ ଦଳ ଜନ୍ମ ନେଲା ତାହା କ୍ରମେ ଏକ ବିଶାଳ ସଂଗଠନରେ ପରିଣତ ହୋଇ ଭାରତକୁ ଇଂରେଜ ଶାସନରୁ ମୁକ୍ତି ଦେଲା । ଏହି ଦଳ ଏବେ ପୃଥିବୀର ଏକ ସର୍ବବୃହତ, ସର୍ବପ୍ରାଚୀନ ଗଣତାନ୍ତ୍ରିକ ସଂଗଠନ । ଭାରତର ମୁକ୍ତି ସଂଗ୍ରାମରେ ବଳିଦାନ ଦେଇଥିବା କଂଗ୍ରେସ ନେତୃବର୍ଗ ଓ କର୍ମୀଙ୍କପ୍ରତି ଶ୍ରୀ ହରିଚନ୍ଦନ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଦେଶର ଗଣତନ୍ତ୍ର ଆଜି ବିପଦରେ, ସାମ୍ବିଧାନିକ ଅନୁଷ୍ଠାନ ଗୁଡିକ ନିରପେକ୍ଷ ରହିପାରୁ ନାହାନ୍ତି । ବିରୋଧି ଦଳଙ୍କ କଣ୍ଠରୋଧ ପାଇଁ ଇଡି, ସିବିଆଇ ଭଳି ଅନୁଷ୍ଠାନର ଅପବ୍ୟବହାର ହେଉଛି । ଆମେ ସେହି ପୂର୍ବସୁରୀ ମାନଙ୍କର ଉତରପିଢ଼ୀ । କଂଗ୍ରେସର ଦାୟୀତ୍ୱକୁ ଆମେ କାନ୍ଧରେ ବହନ କରୁଛେ । ଆଜିର ଦିନରେ ଦେଶରେ ସାମାଜିକ, ଗଣତାନ୍ତ୍ରିକ, ଅର୍ଥନୈତିକ ନ୍ୟାୟର ସୁରକ୍ଷା ପାଇଁ ଆମେ ହିଁ ଲଢ଼େଇ କରିବା । ଏହି କାର୍ଯ୍ୟକ୍ରମକୁ ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ଜ୍ୟୋତିଷ କୁମାର ସାହୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ସଂଗୀତ ଓ ଶେଷରେ ଜାତୀୟ ଗୀତିକା ଗାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଅନନ୍ତ ପ୍ରସାଦ ସେଠୀ, ଡ. ଯୁଧିଷ୍ଠିର ଜେନା, ଡ. ଲଲାଟେନ୍ଦୁ ମହାପାତ୍ର, କିଶୋର ଜେନା, ବିଶ୍ୱଜିତ ଦାଶ, ରଣଜିତ ପାତ୍ର, ମନୋରଞ୍ଜନ ଦାଶ, ବିଷ୍ଣୁ ବାରିକ, ଚିନ୍ମୟ ସୁନ୍ଦର ଦାସ, ଶ୍ରୀନିବାସ ରାଉତରାୟ, ପ୍ରକାଶ ମିଶ୍ର, ତରୁଣ ମିଶ୍ର, ଅମିୟ ପାଣ୍ଡବ, ରଜନୀ ମହାନ୍ତି, ଦୀପକ କୁମାର ମହାପାତ୍ର, ହଳଧର ସେଠୀ, ମନୋରଞ୍ଜନ ରାଉତରାୟ, ସୁଶାନ୍ତ ତ୍ରିପାଠୀ, ମୋହନ ଜେନା, ଝୁଲିଆ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।