ଗଞ୍ଜାମ– ହତ୍ୟା ମାମଲାରେ ଜଡ଼ିତ ଥାଇ ଫେରାର୍ ଥିବା ଜଣେ ଅଭିଯୁକ୍ତକୁ ୨୮ ବର୍ଷ ପରେ ବ୍ରହ୍ମପୁରରୁ ଗିରଫ କରିବାରେ ସଫଳ ହୋଇଛି ଚେନ୍ନାଇ ପୋଲିସ । ଅଭିଯୁକ୍ତ ଜଣକ ହେଲା ବ୍ରହ୍ମପୁର ଅଂଚଳର ହରିହର ପାଟ୍ଟଯୋଶୀ (୨୩) । ପାରିବାରିକ କଳହକୁ କେନ୍ଦ୍ର କରି ଅଭିଯୁକ୍ତ ହରିହର ଚେନ୍ନାଇରେ ତାଙ୍କ ଶାଶୂ ରମା (୪୮)ଙ୍କୁ ୧୯୯୫ ମସିହା ଅଗଷ୍ଟ ୯ ତାରିଖରେ ହତ୍ୟା କରିବା ସହ ପତ୍ନୀ ଇନ୍ଦିରା (୨୧) ଓ ଶଳା କାର୍ତିକ (୨୪)ଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ରହିଥିଲା । ଏନେଇ ଚେନ୍ନାଇର ଅଡମ୍ବକ୍କମ ଥାନାରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଥିଲା । ପୋଲିସ ପକ୍ଷରୁ ଏନେଇ ତଦନ୍ତ ଚାଲିଥିଲା । ହେଲେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ହରିହର ଫେରାର୍ ହୋଇଯାଇଥିଲା ।
୧୯୯୪ ମସିହାରେ ହରିହର ଚେନ୍ନାଇର ଏକ ବିଜ୍ଞାପନ କମ୍ପାନୀରେ ପ୍ରିଂଟିଙ୍ଗ ପ୍ରେସ୍ ରେ କାମ କରୁଥିଲା । ସେହି ସମୟରେ ଇନ୍ଦିରାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟେ ୧୯୯୪ ମସିହା ଜୁଲାଇ ୧୪ ତାରିଖରେ ପ୍ରେମ ବିବାହ କରିଥିଲେ । ହେଲେ ବିବାହର କିଛି ମାସ ପରେ ପାରିବାରିକ କଳହ କାରଣରୁ ଉଭୟ ପରସ୍ପର ଠାରୁ ଅଲଗା ରହିବା ସହ ସ୍ଥାନୀୟ ଫ୍ୟାମିଲି କୋର୍ଟରେ ବିବାହ ବିଚ୍ଛେଦ ନେଇ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା । ମାମଲା କୋର୍ଟରେ ବିଚାରାଧିନ ରହିଥିବା ବେଳେ ଶାଶୂଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିଲା ଅଭିଯୁକ୍ତ ହରିହର । ପରେ ଅଭିଯୁକ୍ତ କିଛି ଦିନ ସୁରତରେ କାମ କରିବା ପରେ ୨୦୦୧ ଆସିକାରେ ଦ୍ଵିତୀୟ ବିବାହ କରିଥିଲା । ତାଙ୍କର ଏକ ଝିଅ ମଧ୍ୟ ରହିଛି । ଦ୍ବିତୀୟ ବିବାହ କରିବା ପରେ ହରିହର ବ୍ରହ୍ମପୁର ଓ କେନ୍ଦ୍ରାପଡ଼ାରେ କାମ କରୁଥିଲା । ପୋଲିସର ଗିରଫଦାରୀରୁ ବର୍ତିବା ପାଇଁ ଅଭିଯୁକ୍ତ ବିଭିନ୍ନ ସମୟରେ ଘର ବଦଳାଇ ଓ ଠିକଣା ବଦଳାଇ ରହି ଆସୁଥିଲା । ଏବେ ସେ ବ୍ରହ୍ମପୁରରେ ଏକ ଶାଢ଼ୀ ଦୋକାନ କରିଥିଲା ।
ଏହା ପୂର୍ବରୁ ଚେନ୍ନାଇ ପୋଲିସ ବହୁ ଥର ତାକୁ ଧରିବା ପାଇଁ ଚଢ଼ଉ କରିଥିଲେ ସୁଦ୍ଧା ବିଫଳ ହୋଇଥିଲା । ସପ୍ତାହେ ପୂର୍ବେ ଚେନ୍ନାଇର ଅଡମ୍ବକ୍କମ ଥାନାରୁ ଏକ ପୋଲିସ ଟିମ୍ ବ୍ରହ୍ମପୁର ଏସପି ଡଃ. ସର୍ବଣା ବିବେକ ଏମ.ଙ୍କୁ ସାକ୍ଷାତ୍ କରିବା ପରେ ହରିହରକୁ ଧରିବା ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଥିଲା । ଗୋଷାଣିନୂଆଗାଁ ଥାନା ଅଧିକାରୀ (ଆଇଆଇସି)ଙ୍କ ନେତୃତ୍ଵରେ ଏକ ଟିମ୍ ଗଠନ କରାଯାଇଥିଲା । ହରିହର ରହୁଥିବା ଗୋଷାଣିନୂଆଗାଁର ଏକ ଭଡ଼ା ଘରେ ପୋଲିସ ଚଢ଼ଉ କରିବା ବେଳେ ସେ ସେଠାରୁ ଖସି ଯାଇଥିଲା । ପରେ ତାମିଲନାଡ଼ୁ ପୋଲିସ ଓ ଗୋଷାଣିନୂଆଗାଁ ପୋଲିସର ମିଳିତ ଉଦ୍ୟମ କ୍ରମେ ଗତକାଲି ବ୍ରହ୍ମପୁର ରେଳ ଷ୍ଟେସନ ନିକଟରୁ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି । ଆଜି ଅଭିଯୁକ୍ତକୁ ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ଏହା ପରେ ହତ୍ୟାକାଣ୍ଡ ବାବଦରେ ଅଧିକ ପଚରା ଉଚୁରା ପାଇଁ ତାକୁ ରିମାଣ୍ଡରେ ନେବ ପୋଲିସ ।