ପୁରୀ– ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଆସନ୍ତା ଜାନୁଆରୀ ମାସ ୧୭ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ନିମନ୍ତ୍ରଣ ପତ୍ର ବଣ୍ଟନ ଆରମ୍ଭ କରିଛନ୍ତି।ଆଜି ପୂର୍ବାହ୍ନରେ ନୀଳାଦ୍ରି ଭକ୍ତ ନିବାସ ଠାରୁ ରାଜ୍ୟ ବାହାରକୁ ୧୭ ଗୋଟି ଓ ରାଜ୍ୟ ଭିତରେ ୧୩ ଗୋଟି ଟିମ ନିମନ୍ତ୍ରଣ ପତ୍ର ବଣ୍ଟନ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବ ତାରଣ ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ନିମନ୍ତ୍ରଣ ପତ୍ର ବଣ୍ଟନ ଯାତ୍ରାରେ ସାମିଲ ଥିବା ସେବାୟତ ଓ ଅଧିକାରୀ ମାନଙ୍କୁ ସଫଳ ଯାତ୍ରାର ଶୁଭେଚ୍ଛା ଜଣାଇଥିଲେ।ଦିଲ୍ଲୀ, କୋଲକାତା, ଚେନ୍ନାଇ, ମଦୁରାଇ, ବନାରସ, ବିଶାଖାପାଟଣା, ଜାମ୍ମୁ, ତ୍ରୀଭେନ୍ଦ୍ରମ, କାଠମାଣ୍ଡୁ, ଡେରାଡୁନ, ଅହମ୍ମଦାବାଦ, ମୁମ୍ବାଇ, ବିଜୟୱଡା, ତିରୁଅନନ୍ତପୁରମ, ଇନ୍ଦୋର, ନାସିକ ଓ ଝାରଖଣ୍ଡକୁ ଏହି ୧୭ ଟି ଟିମ ଗସ୍ତ କରି ସେଠାର ଥିବା ପ୍ରମୁଖ ମନ୍ଦିର ମାନଙ୍କରେ ପହଞ୍ଚି ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ନିମନ୍ତ୍ରଣ ପତ୍ର ପ୍ରଦାନ ସହ ଉତ୍ସବରେ ଯୋଗଦେବା ପାଇଁ ଆମନ୍ତ୍ରଣ କରିବେ। ସେହିପରି ରାଜ୍ୟ ଭିତରର ସମସ୍ତ ୩୦ ଜିଲ୍ଲାକୁ ୧୩ ଟି ଦଳ ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲା ମାନଙ୍କର ପ୍ରମୁଖ ମନ୍ଦିରର ମୁଖ୍ୟ ମାନଙ୍କୁ ପୁରୀ ଆଗମନ ଓ ଲୋକାର୍ପଣ ଉତ୍ସବରେ ଯୋଗଦାନ ପାଇଁ ମଧ୍ୟ ନିମନ୍ତ୍ରଣ କରିବେ। ପରେ ସମସ୍ତ ସେବାୟତ ଓ ଅଧିକାରୀ ମାନେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିଥିଲେ। ଏହା ପରେ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା। ଆଜି ମୁମ୍ବାଇ, ମଦୁରାଇ, ନୂଆଦିଲ୍ଲୀ, ଅହମ୍ମଦାବାଦ, କୋଲକାତା, ଚେନ୍ନାଇ, ବନାରସ, ବାଙ୍ଗାଲୋର, ଇନ୍ଦୋର, ତିରୁଅନନ୍ତପୁରମ ଅଭିମୁଖେ ନିମନ୍ତ୍ରଣ ପତ୍ର ପ୍ରଦାନକାରୀ ଟିମ ଗସ୍ତ କରିଛନ୍ତି। ଅନ୍ୟ ଟିମ ମାନେ ଆସନ୍ତା କାଲି ସେମାନଙ୍କ ଲକ୍ଷ୍ୟ ସ୍ଥଳକୁ ଯାତ୍ରା କରିବେ।
ଏହି ଯାତ୍ରା ସମୟରେ ପାରମ୍ପରିକ ସଂକୀର୍ତ୍ତନ, ଶଙ୍ଖ ଧ୍ଵନି ମାଧ୍ୟମରେ ସ୍ଵାଗତ ଓ ବିଦାୟ ଦିଆଯାଇଥିଲା।