ଭୁବନେଶ୍ୱର– ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ବାଟାଲିୟନରେ ୧୧୯୦ ଜଣ ସୁରକ୍ଷାକର୍ମୀ ରହିବେ । ସ୍ୱତନ୍ତ୍ର ବାଟାଲିୟନ ଶ୍ରୀମନ୍ଦିରର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ କରିବ । ପୁରୀ ଏସପିଙ୍କ ତତ୍ୱାବଧାନରେ ବାଟାଲିୟକନ କାର୍ଯ୍ୟ କରିବ ।
କୋଭିଡ ପରେ ଶ୍ରୀମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବଢ଼ଛି । ଦୈନିକ ୫୦ ହଜାର ଭକ୍ତ ଆସୁଥିବା ବେଳେ ସାପ୍ତାହିକ ଛୁଟି ଓ ବିଶେଷ ଦିନ ମାନଙ୍କରେ ପୁରୀରେ ଭକ୍ତଙ୍କ ସଂଖ୍ୟା ୨ ରୁ ୩ ଗୁଣ ବଢିଯାଉଛି । ଏହାକୁ ଦୃଷ୍ଟିରେ ରଖି ନୂତନ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ୍ ଗଠନ କରାଯାଇଛି । ମନ୍ଦିରକୁ ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବା ନୂତନ ବାଟାଲିୟନର ପ୍ରାଥମିକ ଦାୟିତ୍ୱ ରହିବ । ଉତମ ଭିଡ଼ ପରିଚାଳନା ଏବଂ ପର୍ଯ୍ୟଟକ / ଭକ୍ତ ସୁବିଧା ପାଇଁ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯିବ ।